ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଦେଖିଲା ନୂଆ ଉଦଘାଟନୀ ଉତ୍ସବ, ପ୍ୟାରିସ ସେନ୍ ନଦୀ ଗର୍ଭରେ ହେଲା ଗ୍ରାଣ୍ଡ ଓପନିଂ

ଆନୁଷ୍ଠାନିକ ଭାବେ ଉଦଘାଟିତ ହେଲା ପ୍ୟାରିସ ଅଲିମ୍ପିକ୍ସ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଦେଖିଲା ନୂଆ ଉଦଘାଟନୀ ଉତ୍ସବ । ଯାହା ପୂର୍ବରୁ କେବେ କି ଦେଖିବାକୁ ମିଳିନଥିଲା । ଏଥର ପାରମ୍ପରିକ ଭାବେ ଷ୍ଟାଡିୟମରେ ନୁହେଁ, ନଦୀରେ ହେଲା ଉଦଘାଟନୀ ଉତ୍ସବ । ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଭାପତି ଥୋମାସ ବାକଙ୍କ ଉପସ୍ଥିତିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି ବିଶ୍ବ କ୍ରୀଡା ମହୋତ୍ସବର ଉଦଘାଟନ କରିଛନ୍ତି । ୧୦୦ ବର୍ଷ ପରେ ପୁଣିଥରେ ପ୍ୟାରିସକୁ ଅଲମ୍ପିକ୍ସ ଫେରିଥିବା ବେଳେ ଚଳିତଥର ଏକ ନିଆରା ଉଦଘାଟନୀ ଉତ୍ସବ ଦେଖିବାକୁ ମିଳିଛି। ଫ୍ରାନ୍ସ କ୍ୟାପିଟାଲ ପ୍ୟାରିସରେ ଫ୍ଲୋଟିଂ ପରେଡ୍ ଦେଖିଲା ବିଶ୍ବ । ନୃତ୍ୟ, ସଙ୍ଗୀତ, କଳାକାରଙ୍କ କୋଳାହଳ ଓ ହଜାର ହଜାର ପ୍ରଶଂସକ ଉପସ୍ଥିତି ଏହି ଉଦଘାଟନୀ ଉତ୍ସବକୁ ବେଶ ସ୍ମରଣୀୟ କରିପାରିଛି। ପ୍ରାୟ ୩ଘଣ୍ଟା ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରାସୀ ବିପ୍ଲବ, ଐତିହ୍ୟ ପରମ୍ପରା, ଭାସ୍କର୍ଯ୍ୟ ଓ କାରୁ କାରୁକାର୍ଯ୍ୟର ସଙ୍ଗମ ଦେଖିବାକୁ ମିଳିଛି। ୨୦୧୭ରେ ଆୟୋଜନର ଅଧିକାର ପାଇବା ପରେ ଫ୍ରାନ୍ସ ଶତାବ୍ଦୀର ପ୍ରଥମ ଓ ମୋଟ ତୃତୀୟ ଥର ଲାଗି ଅଲିମ୍ପିକ୍ସକୁ ସଫଳତାର ରୂପ ଦେବାକୁ ଉଦ୍ୟମ କରିଛି । ଏହି ମହାଆଡମ୍ବର ପୂର୍ଣ୍ଣ ଉଦଘାଟନୀ ଉତ୍ସବ ଦେଖିବାକୁ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ରହିଥିଲେ।

ଅନ୍ୟପଟେ ଆଥଲେଟ ଓ ଦର୍ଶକଙ୍କ ଉତ୍ସାହକୁ ଫିକା କରି ପାରିନଥିଲା ବର୍ଷା । ସିନ୍ ନଦୀରେ ୬ କିଲୋମିଟର ବ୍ୟାପି ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ଲେଡି ଗାଗା, ସେଲିନ୍ ଡିଅନଙ୍କ ଭଳି ଷ୍ଟାର୍ ପ୍ରଦର୍ଶନରେ ଚମିକିଥିଲା ଉଦଘାଟନୀ ଉତ୍ସବ । ଅଲମ୍ପିକ କମିଟି ସଭାପତିଙ୍କ ପ୍ରାରମ୍ଭିକ ଭାଷଣ ପରେ ଅଲିମ୍ପିକ୍ସ ଉଦଘାଟିତ ହୋଇଥିବା ଘୋଷଣା କରିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଏହି ଅବସରରେ ଅନେକ କିମ୍ବଦନ୍ତୀ ଆଥଲେଟଙ୍କୁ ସମ୍ମାନିତ କରାଯାଇଥିଲା। ପ୍ୟାରିସ ଅଲିମ୍ପିକ୍ସରେ ୨୦୬ ଟି ଦେଶର ୧୦ ହଜାରରୁ ଅଧିକ ଖେଳାଳି ଭାଗ ନେଇଛନ୍ତି । ଉଦଘାଟନୀ ଉତ୍ସବରେ ଭାରତର ପତାକା ଧରିଥିଲେ ପିଭି ସିନ୍ଧୁ ଓ କମଲ୍ । ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଯୋଗୀଙ୍କ ପାଇଁ ଅପେକ୍ଷା କରିଛି ୩୨୯ ସ୍ବର୍ଣ୍ଣ ପଦକ ।

ସେପଟେ ବିଶ୍ବ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ଆଜି ବିଭିନ୍ନ ବିଭାଗରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଭାରତୀୟ କ୍ରୀଡାପ୍ରେମୀଙ୍କ ନଜର ରହିଛି। ଆଜିଠୁ ଭାରତୀୟ ହକି ଦଳ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ତୀରନ୍ଦାଜି, ଟେନିସ, ବ୍ୟାଡମିଣ୍ଟନ ସମେତ ବିଭିନ୍ନ ବିଭାଗରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାକୁ ଯାଉଛନ୍ତି ଭାରତୀୟ କ୍ରୀଡାବିତ୍ । ଚଳିତ ଥର ଅଲିମ୍ପିକ୍ସରେ ଭାରତରୁ ଭାଗ ନେଇଛନ୍ତି ୧୧୭ ଜଣିଆ ଦଳ । ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି ।