ପ୍ୟାରିସ ଅଲମ୍ପିକ୍ସ: କୁସ୍ତିରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଲେ ଅମନ ସେରାଓ୍ବାତ

ପ୍ୟାରିସ ଅଲମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ । ପୁରୁଷ କୁସ୍ତି ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ବ୍ରୋଞ୍ଜ ପଦକ ଜିତିଲେ ରେସଲର ଅମନ ସେରାଓ୍ବାତ। ପୁର୍ତ୍ତୋରିକୋର ପ୍ରତିଯୋଗୀ ଡାରିଏନ୍ କ୍ରୁଜ୍ ଙ୍କୁ ସେ ୧୩-୫ରେ ପରାସ୍ତ କରିଛନ୍ତି । ଗୁରୁବାର ସେମି ଫାଇନାଲରେ ଅମନ, ଜାପାନ ପ୍ରତିଯୋଗୀ ରେଇ ହିଗୁଚିଙ୍କଠାରୁ ୦-୧୦ରେ ପରାସ୍ତ ହୋଇଥିଲେ। ଗତକାଲି ପଦକ ଜିତିଛନ୍ତି । ପ୍ରଥମ ଥର ଅଲିମ୍ପିକ୍ସରେ ଡେବ୍ୟୁ କରି ଦେଶକୁ ପଦକ ଭେଟି ଦେଇଛନ୍ତି ସେ । ଅଲିମ୍ପିକ୍ସରେ ପଦକ ହାସଲ କରିବାରେ ସର୍ବକନିଷ୍ଠ ଆଥଲେଟ ହେଉଛନ୍ତି ଅମନ । ଅଲିମ୍ପିକ୍ସରେ କୁସ୍ତିରୁ ପଦକ ଜିତିବାରେ ସେ ସପ୍ତମ ପୁରୁଷ ଖେଳାଳି।

ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁସ୍ତି ଯୋଦ୍ଧା ଅମନ ସେରାଓ୍ବାତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ମୋଦି ଲେଖିଛନ୍ତି, “ଆମର କୁସ୍ତି ଯୋଦ୍ଧାଙ୍କ ପାଇଁ ଦେଶର ଗୌରବ ବୃଦ୍ଧି ପାଇଛି । ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅମନଙ୍କୁ ଅଭିନନ୍ଦନ । ତାଙ୍କର ନିଷ୍ଠା ଏବଂ ପରିଶ୍ରମ ସ୍ପଷ୍ଟ ଭାବରେ ଝଲକୁଛି । ତାଙ୍କର ବିଜୟ ଖୁସିରେ ସାରା ଦେଶ ଉତ୍ସବ ମନାଉଛି । ”

ସେହିପରି ୨୦୦୮ ପରଠୁ ଭାରତ ଲଗାତାର ଭାବେ ପ୍ରତ୍ୟେକ ଅଲିମ୍ପିକ୍ସ ସଂସ୍କରଣରେ ପଦକ ଜିତିବା ଧାରା ବଜାୟ ରଖିପାରିଛି । ଅମନଙ୍କ ସଫଳତା ସହ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଛଅଟି ପଦକ ପାଇଛି । ସେଭିତରୁ ୫ଟି ବ୍ରୋଞ୍ଜ ଓ ଗୋଟିଏ ସିଲଭର ମେଡାଲ । ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ଜିତିଥିବା ୬ ପଦକର ସମକକ୍ଷ ବି ହୋଇଛି ଭାରତ । ଅମନ ବ୍ରୋଞ୍ଜ ପଦକ ଜିତିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.