ଜାଭଲିନରେ ନୀରଜ ଜିଣିଲେ ରୌପ୍ୟ, ରେକର୍ଡ ଭାଙ୍ଗିଲେ ନଦୀମ

ସୁନା ପୁଅକୁ ରୁପା ।  ପ୍ୟାରିସ ଅଲିମ୍ପିକ୍ସରେ ଟୋକିଓ ସ୍ବର୍ଣ୍ଣ ପଦକ ବଜାୟ ରଖି ପାରିଲେନି ନୀରଜ ଚୋପ୍ରା । ରୌପ୍ୟରେ ସନ୍ତୁଷ୍ଟ ହେଲେ। କିନ୍ତୁ ରୌପ୍ୟ ଜିତିଲେ ମଧ୍ୟ ଇତିହାସ ରଚିଛନ୍ତି । ସ୍ବାଧୀନ ଭାରତର ପ୍ରଥମ ଆଥଲେଟ ଭାବେ ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି  । ଟୋକିଓରେ ସ୍ବର୍ଣ୍ଣ ଜିତିଥିଲେ ପ୍ୟାରିସରେ ରୌପ୍ୟ ଜିତିଲେ ।  ଅଲିମ୍ପିକ୍ସ ଜାଭେଲିନ ଫାଇନାଲ ଇଭେଣ୍ଟରେ ଭାରତ-ପାକିସ୍ତାନ ମଧ୍ୟରେ ଲଢ଼େଇ ହୋଇଥିଲା ।  ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ ।

ସେ ୯୨.୯୭ ମିଟର ଫିଙ୍ଗିଥିଲେ । ପଡ଼ୋଶୀ ପାକିସ୍ତାନର ଏହା ବ୍ୟକ୍ତିଗତ ପ୍ରଥମ ସ୍ବର୍ଣ୍ଣ ପଦକ । ପୂର୍ବରୁ କେବଳ ଦୁଇଟି କାଂସ୍ୟ ଜିତିଥିଲା ପାକିସ୍ତାନ। ଗୁରୁବାର ତୀବ୍ର ପ୍ରତିଦ୍ବନ୍ଦିତାପୂର୍ଣ୍ଣ ଜାଭଲିନ୍ ଇଭେଣ୍ଟରେ ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ଫାଉଲ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ।  ଦ୍ବିତୀୟ ପ୍ରୟାସରେ କିନ୍ତୁ ୮୯.୪୫ ମିଟରକୁ ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ। ତା ପୂର୍ବରୁ ତାଙ୍କ ପାକିସ୍ତାନ ପ୍ରତିଦ୍ବନ୍ଦୀ ଅର୍ଶଦ ନଦୀମ ତାଙ୍କ ଦ୍ବିତୀୟ ଥ୍ରୋରେ ୯୨. ୯୭ ମିଟର ଫିଙ୍ଗି ଶୀର୍ଷକୁ ଲମ୍ଫ ମାରିଥିଲେ। ନୀରଜ ଟୋକିଓରେ ୮୭.୫୮ ମିଟର ଫିଙ୍ଗି ସ୍ବର୍ଣ୍ଣ ଜିତିଥିଲେ । ତେବେ ଭାରତ ପ୍ୟାରିସ ଅଲିମ୍ପିକ୍ସରୁ ଭାରତର ଏହା ପ୍ରଥମ ରୌପ୍ୟ। ରୌପ ଜିତିବା ପରେ ନୀରଜଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ପ୍ୟାରିସ ଜାଭଲିନ୍ ପୋଡ଼ିଅମରେ କୋଳାକୋଳି ହୋଇଥିଲେ ଦୁଇ ପ୍ରତିଦ୍ବନ୍ଦୀ ନୀରଜ ଚୋପ୍ରା ଓ ନଦୀମ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.