ଆଜିଠୁ ପ୍ୟାରିସ ପାରା ଅଲିମ୍ପିକ୍ସ ଆରମ୍ଭ: ଭାଗ ନେବେ ୮୪ ଭାରତୀୟ ଆଥଲେଟ୍‌, ୧୨ଟି ଖେଳରେ ହେବେ ସାମିଲ

ପ୍ୟାରିସ ଅଲିମ୍ପିକ୍ସ ପରେ ଆଜିଠୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥିରେ ସାରା ବିଶ୍ୱର ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ପ୍ୟାରିସରେ ଆରମ୍ଭ ହେବ ପାରା ଅଲିମ୍ପିକ୍ସ । ଏଥିରେ ୮୪ ଜଣ ଭାରତୀୟ ରହିବେ । ଭାରତୀୟ ଆଥଲେଟ ୧୨ଟି ଖେଳରେ ଭାଗ ନେବେ । ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟରେ ପ୍ରତିନ୍ଦ୍ୱନ୍ଦିତା ହେବ । ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଚାଲିବ ।

ଆଜି ପାରା ଅଲିମ୍ପିକ୍ସ ଖେଳର ଉଦଘାଟନୀ ଉତ୍ସବ ହେବ । ଭାରତୀୟ ସମୟ ରାତି ୧୧.୩୦ ମିନିଟରେ ଖେଳ ଆରମ୍ଭ ହେବ । ପ୍ୟାରିସ ପାରା ଅଲିମ୍ପିକ୍ସରେ ୨୨ଟି ଖେଳ ସାମିଲ ରହିଛି ।  ୮୪ ଜଣ ଭାରତୀୟ ଆଥଲେଟ ପାରା ତୀରନ୍ଦାଜ, ପାରା ଆଥଲେଟିକ୍ସ, ପାରା ବ୍ୟାଡମିଣ୍ଟନ, ପାରା କେନୋ, ପାରା ସାଇକେଲିଂ, ପାରା ଜୁଡୋ, ପାରା ପାଓ୍ଵାରଲିଫ୍ଟିଂ, ପାରା ରୋଇଂ, ପାରା ସୁଟିଂ, ପାରା ସୁଇମିଂ, ପାରା ଟେବୁଲ ଟେନିସ ଏବଂ ପାରା ତାଇକୋଣ୍ଡା ସହିତ ୧୨ଟି ଖେଳରେ ଭାଗ ନେବେ । ସୁଟର ମନୀଷ ନରୱାଲ୍, ସଟଲର୍ କ୍ରୀଷ୍ଣା ନାଗର, ଧାବିକା ଦୀପ୍ତି ଜୀବନଜୀ, ବ୍ୟାଡମିଣ୍ଟନ୍ ତାରକା ସୁହାସ ୟତିରାଜ, ତୀରନ୍ଦାଜ ଶୀତଲ ଓ ହରବିନ୍ଦର ସିଂହ ପ୍ରମୁଖ ସ୍ୱର୍ଣ୍ଣ ଦୌଡ଼ରେ ରହିବେ ।

ପ୍ୟାରିସ ପାରା ଅଲିମ୍ପିକ୍ସରେ କିଟରୁ ୨ ଛାତ୍ର ରହିଛନ୍ତି । ପ୍ରବୀଣ କୁମାର, ପାରା ଆଥଲେଟିକ୍ସ (ହାଇ ଜମ୍ପ ଟି୬୪) ରହିଥିବା ବେଳେ ରାମପାଲ, ପାରା ଆଥଲେଟିକ୍ସ (ହାଇ ଜମ୍ପ ଟି୪୭) ରେ ରହିଛନ୍ତି । ଏମାନଙ୍କୁ କିଟ୍‌ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ସହ ସଫଳତା କାମନା କରିଛନ୍ତି । ସେପ୍ଟେମ୍ବର ୯ରେ ପାରା ଅଲିମ୍ପିକ୍ସରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like