ଅଷ୍ଟ୍ରେଲିଆ ଟିମ୍‌କୁ ମିଳିଲା ନୂଆ ଅଧିନାୟକ, ଓ୍ଵାର୍ଣ୍ଣର ନୁହେଁ ଦିନିକିଆ ଦଳର ଦାୟିତ୍ୱ ସମ୍ଭାଳିବେ ପ୍ୟାଟ୍‌ କମିନ୍ସ

ଅଷ୍ଟ୍ରେଲିଆ ଟିମକୁ ମିଳିଲା ନୂଆ ଅଧିନାୟକ। ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ। ଏରୋନ ଫିଞ୍ଚ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଦିଆଯାଇଛି । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ନିଜର ନମ୍ବର ଓ୍ବାନ ଦ୍ରୁତ ବୋଲି ପ୍ୟାଟ କମିନ୍ସଙ୍କୁ ଟିମର ଅଧିନାୟକ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ଡେଭିଡ ଓ୍ବାର୍ଣ୍ଣର ବି ଅଧିନାୟକ ଦୌଡରେ ସାମିଲ ଥିଲେ । କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ଓ୍ବାର୍ଣ୍ଣରଙ୍କୁ ବାଦ୍‌ ଦେଇ କମିନ୍ସଙ୍କୁ ଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଛି ।

ମଙ୍ଗଳବାର ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ବୟାନ ଜାରି କରି କମିନ୍ସଙ୍କୁ ଟିମର ଅଧିନାୟକ ନିଯୁକ୍ତ କରିଛନ୍ତି । ଗତ ବର୍ଷ ଟିମ୍ ପେନଙ୍କୁ ହଟାଇବା ପରେ କ୍ରିକେଟ ଅଷ୍ଟ୍ରେଲିଆ ଟେଷ୍ଟ ଟିମର ଦାୟିତ୍ୱ ବି ପ୍ୟାଟ କମିନ୍ସଙ୍କୁ ଦେଇଥିଲା । କମିନ୍ସ ବୋର୍ଡର ଏହି ନିଷ୍ପତ୍ତିକୁ ଧନ୍ୟବାଦ ଜଣାଇଛନ୍ତି ।

ଏହାସହ କମିନ୍ସ ଏରୋନ ଫିଞ୍ଚଙ୍କ ଯୋଗଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି, ‘ ମୁଁ ଏରୋନ ଫିଞ୍ଚଙ୍କ ନେତୃତ୍ବରେ ଖେଳିବା ଅବସରରେ ଖୁବ୍ ଉପଭୋଗ କରିଛି। ଫିଞ୍ଚଙ୍କ ଅଧିନାୟକରୁ ମୋତେ ବହୁତ କିଛି ଶିଖିବାକୁ ମିଳିଛି । ଫିଞ୍ଚଙ୍କ ବିଦାୟ ପରେ ଅଷ୍ଟ୍ରେଲିଆ କ୍ରିକେଟ ବହୁମାତ୍ରାରେ କ୍ଷତି ହୋଇଛି । ଯାହାକୁ ପୂରଣ କରିବା ସହଜ ନୁହେଁ । ମାତ୍ର ମୁଁ ଭାଗ୍ୟବାନ କି ଦିନିକିଆ ଟିମରେ ଆମ ପାଖରେ ଅନେକ ଅନୁଭବୀ ଖେଳାଳି ରହିଛନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ ପ୍ୟାଟ୍‌ କମିନ୍ସଙ୍କୁ ଜଣେ ଭଲ ଅଧିନାୟକ ବୋଲି କହିଛି। ଅଷ୍ଟ୍ରେଲିଆ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ପ୍ୟାଟ କମିନ୍ସଙ୍କ ଖେଳକୁ ପ୍ରଶଂସା କରିଛନ୍ତି। ଆଉ ଏହି ଦାୟିତ୍ୱ ସେ ଭଲଭାବେ ତୁଲାଇବେ ବୋଲି ମଧ୍ୟ ଆଶା ରଖିଛନ୍ତି।

ତେବେ ଦିନିକିଆ ଅଧିନାୟକ ଭାବେ ପ୍ୟାଟ କମିନ୍ସଙ୍କୁ ଆଗାମୀ ମାସରୁ ଚ୍ୟାଲେଞ୍ଜ ମିଳିବ। ଅଷ୍ଟ୍ରେଲିଆ ୧୭ ନଭେମ୍ବରରୁ ଇଂଲଣ୍ଡ ବିପକ୍ଷରେ ତିନିଟି ଦିନିକିଆ ସିରିଜ ଖେଳିବ। ତେବେ ଟି-୨୦ ବିଶ୍ୱକପ ପରେ ଫିଞ୍ଚ ମଧ୍ୟ ଟି-୨୦ କ୍ରିକେଟକୁ ଅଲବିଦା କହିପାରନ୍ତି ବୋଲି ଅନୁମାନ କରାଯାଉଛି। ଯଦି ଏପରି ହୁଏ, ତେବେ ୩ଟି ଫର୍ମାଟରେ ପ୍ୟାଟ କମିନ୍ସ ଅଷ୍ଟ୍ରେଲିଆ ଟିମର ଅଧିନାୟକ ହୋଇପାରନ୍ତି।

Also Read : ‘ମୋତେ ନ ପଚାରି ମୋ ବାହାଘର କାହିଁକି ଠିକ୍‌ କଲ ବାପା’ ଶିଖରଙ୍କୁ ମୁହଁତୋଡ ଜବାବ ଦେଲେ ବାପା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.