ବାପା ହେବାକୁ ଯାଉଥିବା ବିରାଟ କୋହଲିଙ୍କୁ ମିଳିଲା ପାଟରନିଟି ଛୁଟି, ଅଷ୍ଟ୍ରେଲିଆରେ ଖେଳିବେ ମାତ୍ର ଗୋଟିଏ ଟେଷ୍ଟ

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ମିଳିଲା ପାଟରନିଟି ଛୁଟି । ସେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପରେ ଭାରତ ଫେରି ଆସିବେ । କାରଣ ସେଲିବ୍ରିଟି କପଲ୍‌ ଭାବେ ପରିଚିତ ବିରାଟ ତାଙ୍କ ପତ୍ନୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ପିତା ମାତା ହେବାକୁ ଯାଉଛନ୍ତି ।
ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସହିତ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ । ବର୍ଡ଼ର-ଗାଭାସ୍କର ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଡିଲେଡ୍‌ ଠାରେ ଦିବାରାତ୍ରରେ ଖେଳାଯିବ । ଏହି ମ୍ୟାଚ୍‌ ଖେଳି ସାରିବା ପରେ ବିରାଟ ପତ୍ନୀ ଅନୁଷ୍କାଙ୍କ ସହିତ ରହିବାକୁ ଘରକୁ ଫେରି ଆସିବେ । ଆଗାମୀ ଜାନୁଆରୀ ମାସରେ ଅନୁଷ୍କା ତାଙ୍କର ପ୍ରଥମ ସନ୍ତାକୁ ଜନ୍ମ ଦେବେ । ତେବେ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଦଳର ନେତୃତ୍ୱ ନେବେ ।

ଦଳକୁ ଫେରିଲେ ରୋହିତ ଶର୍ମା

ଅବଶ୍ୟ ବିରାଟଙ୍କ ଅନୁପସ୍ଥିତ ହେଉ କିମ୍ବା ବିଭିନ୍ନ ମହଲରୁ ଚାପ ଯୋଗୁଁ ହେଉ, ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିଛି । ତେବେ ଦିନିକିଆରେ ତାଙ୍କୁ ଖେଳାଯିବ ନାହିଁ । ଆଇପିଏଲ୍‌ ଖେଳିବା ବେଳେ ଆହତ ଥିବା ରୋହିତଙ୍କୁ ବିଶ୍ରାମ ଦିଆଯାଇଛି । ଅକଟୋବର ୧୮ରେ ଆହତ ହେବା ପରଠାରୁ ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଉ ଆଇପିଏଲ୍‌ରେ ଖେଳି ପାରି ନାହାନ୍ତି । ତାଙ୍କ ଉପରେ ବିସିସିଆଇ ନଜର ରଖିଛି ।

rohit sharma

ଆହୁରି ମଧ୍ୟ ପେସ୍‌ ବୋଲର୍‌ ଇଶାନ୍ତ ଶର୍ମା ଆହତ ଥିବାରୁ ଆଇପିଏଲ୍‌ରେ ଖେଳୁ ନାହାନ୍ତି । ଯଦି ସେ ଫିଟ୍‌ ହୋଇଯାଆନ୍ତି ତେବେ ଟେଷ୍ଟ ଦଳରେ ସାମିଲ ହେବେ ବୋଲି ବିସିସିଆଇ ତରଫରୁ କୁହାଯାଇଛି । ଅନ୍ୟପଟେ ଟି-୨୦ ଦଳରୁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ବାଦ୍‌ ପଡ଼ିଥିବା ବେଳେ ତାଙ୍କ ସ୍ଥାନ ନେଇଛନ୍ତି ବାମହାତୀ ସ୍ପିନର ଟି. ନଟରାଜନଙ୍କୁ ସୁଯୋଗ ମିଳିଛି । ଅତିରିକ୍ତ ଓ୍ଵିକେଟ୍‌ କିପର ଭାବେ ସ୍ଥାନ ପାଇଛନ୍ତି ସଞ୍ଜୁ ସାମନସନ୍‌ ।

ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ । ଡିସେମ୍ବର ୪ରୁ ତିନିଟିକିଆ ଟି-୨୦ ସିରିଜ୍‌ ଏବଂ ଡିସେମ୍ବର ୧୭ରେ ପ୍ରଥମ ଟେଷ୍ଟ ଖେଳାଯିବ । ୨୦୨୧ ଜାନୁଆରୀ ୧୯ରେ ଭାରତର ଏହି ଗସ୍ତ ଶେଷ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like