‘ସାବାସ୍ ଦିଲୀପ’ : ଓଡ଼ିଶାର କ୍ରୀଡ଼ା ଗୌରବ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ଉପରେ ବିଶେଷ ପ୍ରଦର୍ଶନୀ

ଭୁବନେଶ୍ୱର (କେନ୍ୟୁଜ୍‌) : ‘ଏହା ମୋର ପ୍ରଥମ ଆନ୍ତର୍ଜାତିକ ମ୍ୟାଚର ଫଟୋ । ଏହାର କପି ମୋ ପାଖରେ ବି ନାହିଁ । ଏତେ ବର୍ଷ ପରେ ଆଉ ଥରେ ଏହାକୁ ଦେଖି ମୁଁ ରୋମାଞ୍ଚିତ ହେଉଛି ’। ଇଏ ଥିଲା ଓଡ଼ିଶାର କ୍ରୀଡ଼ା ଗୌରବ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ପ୍ରତିକ୍ରିୟା । ୧୯୯୫ ମସିହା ଇନ୍ଦିରା ଗାନ୍ଧୀ ଗୋଲ୍ଡକପ୍ ହକି ପ୍ରତିଯୋଗିତାରେ ଭାରତୀୟ ସିନିୟର ଦଳରୁ ପ୍ରଥମ କରି ଖେଳୁଥିବା ମ୍ୟାଚର ଫଟୋକୁ ପ୍ରଦର୍ଶନୀରେ ଦେଖି ଭାବବିହ୍ୱଳ ହୋଇ ପଡ଼ିଥିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ । ବିଶ୍ୱ ହକିର ଏହି କିମ୍ବଦନ୍ତୀ ଖେଳାଳି ନିକଟରେ ପ୍ରଥମ ଅଲିମ୍ପିକ୍ ଅଧିନାୟକ ଭାବେ ଜାତୀୟ ହକି ଫେଡେରେସନର ମୁଖ୍ୟ ବନିଛନ୍ତି । ଆସନ୍ତାକାଲି ଶୁକ୍ରବାର ହେଉଛି ଦିଲୀପ ତିର୍କୀଙ୍କ ଜନ୍ମଦିନ । ଏହି ଅବସରରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସଂବିତ ମହାପାତ୍ରଙ୍କ ପ୍ରୟାସରେ ଆୟୋଜିତ ହୋଇଛି ଦିଲୀପଙ୍କ କ୍ୟାରିୟର ଉପରେ ଏକ ବିଶେଷ ପ୍ରଦର୍ଶନୀ ‘ସାବାସ୍ ଦିଲୀପ’ ।

ଗୁରୁବାର ଦିନ ଭୁବନେଶ୍ୱର ଜୟଦେବ ଭବନ ପ୍ରଦର୍ଶନୀ ହଲରେ ଏହା ଉଦଘାଟିତ ହୋଇଛି । ଏହି ବିଶେଷ ପ୍ରଦର୍ଶନୀକୁ ପଦ୍ମଶ୍ରୀ ତିର୍କୀଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ ରାଜ୍ୟ କୃଷି ଓ କୃଷି ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ । ଏହି ପ୍ରଦର୍ଶନୀରେ ଦିଲୀପଙ୍କ ଖେଳ ଜୀବନର ଅନେକ ଫଟୋ, ପେଣ୍ଟିଂ, କାର୍ଟୁନ ଆଦି ସହ ଦିଲୀପଙ୍କ ଖେଳ ଉପକରଣ ତଥା ସେ ଜିତିଥିବା ବିଶେଷ ପୁରସ୍କାର ଗୁଡିକ ପ୍ରଦର୍ଶିତ ହୋଇଛି । ତାଙ୍କ ପୂରା କ୍ୟାରିୟରର ମ୍ୟାଚ୍ ଓ ଗୋଲ ବିବରଣୀ ମଧ୍ୟ ରଖାଯାଇଛି ଦର୍ଶକଙ୍କ ଲାଗି । ଦିଲୀପଙ୍କ ବିଷୟରେ ଅନେକ କବିତା ଏହି ପ୍ରଦର୍ଶନୀରେ ସାମିଲ ହୋଇଛି ।

dilip

ମୁଖ୍ୟ ଅତିଥି ଡ. ଅରବିନ୍ଦ ପାଢୀ ତାଙ୍କ ପାଇଁ ଏହି ଉଦଘାଟନୀ ଦିବସ ଏକ ସ୍ମରଣୀୟ ଘଟଣା ହୋଇ ରହିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଳବାଇର ପୂର୍ବତନ ବରିଷ୍ଠ ଅଧିକାରୀ ଦିଲୀପ କୁମାର ସାମନ୍ତରାୟ, ବିଶିଷ୍ଟ ଆଥଲେଟିକ୍‌ କୋଚ୍ ଅରୁଣ କୁମାର ଦାସ, ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, ଭାରତୀୟ ଚେସ୍ ସଂଘର ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଏଭରେଷ୍ଟ ବିଜେତା ଗଣେଶ ଜେନା, ବିଶିଷ୍ଟ କୋଚ୍ ହରିପ୍ରସାଦ ପଟ୍ଟନାୟକ, ବିଶିଷ୍ଟ କ୍ରିକେଟର୍‌ ରଶ୍ମି ରଞ୍ଜନ ପରିଡା ଓ ଚେସ୍‌ ଖେଳାଳି ଏସ୍. ସତ୍ୟପ୍ରଜ୍ଞା ଉପସ୍ଥିତ ଥିଲେ ।

ଏହା ସହିତ ଦିଲୀପଙ୍କ ପତ୍ନୀ ମୀରା ଏବଂ ବହୁ ଖେଳାଳି ପ୍ରଶିକ୍ଷକ ମିଡିଆ କର୍ମୀଙ୍କ ସହିତ କିସ୍ର ୧୦ଜଣ ଯୁବା ହକି ତାରକା ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ । ଏହି ପ୍ରଦର୍ଶନୀ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.