ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଶ୍ୱବିଜେତା ଭାରତୀୟ ଟିମ, ଟ୍ରଫି ସହିତ ଫଟୋ ଉଠାଇବା ସହିତ ଖେଳାଳିଙ୍କ ସହିତ ମଜାମସ୍ତି କଲେ ମୋଦି
ଟି୨୦ ବିଶ୍ୱକପ ବିଜେତା ଭାରତୀୟ ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଚାମ୍ପିଅନ ଟିମକୁ ଭେଟି ଖେଳାଳିଙ୍କୁ ସାବାସୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ହୋଟେଲ ଆଇଟି ମୌର୍ଯ୍ୟରୁ ମୋଦିଙ୍କ ୭, ଲୋକକଲ୍ୟାଣ ମାର୍ଗ ସ୍ଥିତ ବାସଭବନକୁ ଯାଇଥିଲେ ଭାରତୀୟ ଟିମର ଖେଳାଳି । ବାସଭବନରେ ମୋଦି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ରିଷଭ ପନ୍ତଙ୍କ ସହିତ ୧୫ ଖେଳାଳି ଏବଂ କୋଚ୍ ରାହୁଲ ଦ୍ରାବିଡ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଭାରତୀୟ ଟିମ୍ ସହିତ କଥା ହୋଇ ମୋଦି ବହୁତ ଖୁସି ଅଛନ୍ତି । ଖେଳାଳିଙ୍କ ସହିତ କଥାବାର୍ତ୍ତା ହୋଇ ମସ୍ତି ମଜାକ କରିବା ପରେ ଟ୍ରଫି ଓ ଖେଳାଳିଙ୍କ ସହିତ ଫଟୋ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ।
ଟାଇଟଲ ଜିତିବା ପରେ ଖେଳାଳିଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ଆଜି ଖେଳାଳି ଏବଂ ଦଳର ଅନ୍ୟ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୋଦି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୋଦିଙ୍କ ସହିତ ସାକ୍ଷାତ ପରେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ବାହାରିଛନ୍ତି ଭାରତୀୟ ଟିମ୍ । ଖେଳାଳିମାନେ ବାର୍ବାଡୋସରୁ ଫେରିବା ପରେ ସାରା ଦେଶରେ ଉତ୍ସବ ମନାଉଛନ୍ତି କ୍ରିକେଟ୍ ଫ୍ୟାନ୍ ।
ଚାମ୍ପିଅନ ରୋହିତ ବାହିନୀକୁ ଦିଲ୍ଲୀ ଏୟାରପୋର୍ଟ ପରେ ହୋଟେଲ ITC ମୌର୍ଯ୍ୟରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଭାରତୀୟ ଖେଳାଳିମାନେ ସ୍ୱତନ୍ତ୍ର ବିମାନରେ ମୁମ୍ବାଇ ଯିବେ। ମୁମ୍ବାର ନରିମାନ ପଏଣ୍ଟ ଠାରୁ ୱାଙ୍ଖଡେ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ରୋଡ ଶୋ’ରେ ଭାଗ ନେବେ। ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଟିମ୍ ଇଣ୍ଡିଆର ଖେଳାଳି, କୋଚ ଓ ସପୋର୍ଟ ଷ୍ଟାଫଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହାସହିତ ବିସିସିଆଇ ପକ୍ଷରୁ ଘୋଷଣା ହୋଇଥିବା ୧୨୫ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି କହିଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ।