କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲିଛି ଖେଲୋ ଇଣ୍ଡିଆ: ଆଜି ଭିଡିଓ କନ୍‌ଫରେନ୍ସିଂରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲିଛି ଜାତୀୟସ୍ତରର କ୍ରୀଡ଼ା ମହାକୁମ୍ଭ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା । ଆଜି ଆନୁଷ୍ଠାନିକ ଭାବେ କଟକରେ ଏହାର ଉଦଘାଟନ ଉତ୍ସବ ରହିଛି । କଟକ ଜବାହାରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଯୋଗେ ଉଦ୍‌ଘାଟନ କରିବେ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ଉଦ୍‌ଘାଟନୀ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

modi୯ ଦିନ ଧରି ଚାଲିବାକୁ ଥିବା ଏହି ମେଗା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଦୁଇ ଶହ ବିଶ୍ୱବିଦ୍ୟାଳୟର ଚାରି ହଜାର ପ୍ରତିଯୋଗୀ । ୧୭ଟି ଇଭେଣ୍ଟରେ ପ୍ରତିଯୋଗିତା ଚାଲିବ । ଆଜି ଫୁଟବଲ, ବାସ୍କେଟବଲ୍‌, ଭଲିବଲ୍‌, ସୁଇମିଂ ଭଳି ବିଭିନ୍ନ ଇଭେଣ୍ଟରେ ଖେଳ ହେଉଛି । ସକାଳ ୭ଟାରୁ ଆରମ୍ଭ ହୋଇଥିଲା ହକି । ପରେ ପରେ ବାସ୍କେଟ ବଲ, ଆର୍ଚେରୀ, ଫେନସିଂରେ ସାମ୍ନା ସାମ୍ନି ହୋଇଛନ୍ତି ବିଭିନ୍ନ ବିଶ୍ୱ ବିଦ୍ୟାଳୟ । ପୂରା କିଟ୍‌ କ୍ୟାମ୍ପସ ଖେଲୋ ଇଣ୍ଡିଆ ରଙ୍ଗରେ ରଙ୍ଗେଇ ହୋଇଛି । ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆୟୋଜନ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ।