ଏଥର ଓସ୍‌ଜା କ୍ରୀଡ଼ା ପୁରସ୍କାର ପାଇବେ ପାରା ବ୍ୟାଡ୍‌ମିଣ୍ଟନ୍‌ ଷ୍ଟାର୍‌ ପ୍ରମୋଦ ଭଗତ ଓ ଆଥ୍‌ଲେଟିକ୍‌ କୋଚ୍‌ ପଞ୍ଚାନନ ଗନ୍ତାୟତ

ଭୁବନେଶ୍ବର (କେ ନ୍ୟୁଜ୍‌): ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ବିଜେତା ତଥା ଓଡ଼ିଶାର ଗୌରବ ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରାପ୍ତ ଆଥ୍‌ଲେଟିକ୍‌ କୋଚ୍‌ ପଞ୍ଚାନନ ଗନ୍ତାୟତ ପାଇବେ ଓସ୍‌ଜା ( ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ବାର୍ଷିକ ପୁରସ୍କାର। ଓସ୍‌ଜା ପକ୍ଷରୁ ଆସନ୍ତା ୨୧ ତାରିଖରେ ସଂଘର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ । କଟକ ସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ଉତ୍ସବରେ ଉଭୟ କ୍ରୀଡ଼ା ତାରକାଙ୍କୁ ପୁରସ୍କୃତ କରାଯିବ। ପ୍ରମୋଦଙ୍କୁ ୨୦୧୯ କ୍ୟାଲେଣ୍ଡର ବର୍ଷ ପାଇଁ ଶ୍ରେଷ୍ଠ କ୍ରୀଡ଼ାବିତ୍ ଓ ପଞ୍ଚାନନଙ୍କୁ କ୍ରୀଡ଼ାକ୍ଷେତ୍ରରେ ଜୀବନବ୍ୟାପି ଅବଦାନ ପାଇଁ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍’ ପୁରସ୍କାର ଦିଆଯିବ ।
ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫ୍‌ଆଇ)ର ଏକମାତ୍ର ଅନୁବନ୍ଧିତ ଓଡ଼ିଶା ସଂଘ ‘ଓସ୍‌ଜା’ ପକ୍ଷରୁ ୨୦୧୮ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଉଭୟଙ୍କୁ ମାନପତ୍ର ସହ ୨୫,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ସଂଘ ପକ୍ଷରୁ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ ହୃଦୟନାଥ ଦାସ ଓ ଶ୍ୟାମାକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଧିତ କରାଯିବ। ରାଜ୍ୟର କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି ଅରୂପାନନ୍ଦ ରାଉତରାୟ ମୁଖ୍ୟ ଅତିଥି, ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂହ ଏବଂ ଓଡ଼ିଶା କ୍ରିକେଟ୍ ସଂଘର ସଂପାଦକ ସଞ୍ଜୟ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ସୂଚନାଯୋଗ୍ୟ, ଓସ୍ଜା ପୁରସ୍କାରର ପ୍ରଥମ ବିଜେତା ଥିଲେ ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍ ଓ ବର୍ଷୀୟାନ୍‌ ଫୁଟ୍ବଲ୍ ଖେଳାଳି ଦେବ ସିଂହ। ସେହିଭଳି ଗତ ବର୍ଷ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବକ୍ସିଂ କୋଚ୍‌ ବ୍ରଜ ଭୂଷଣ ମହାନ୍ତି ଏହି ମର୍ଯ୍ୟଦାଜନକ ପୁରସ୍କାର ଗ୍ରହଣ କରିଥିଲେ।
ଗତବର୍ଷ ଓଡ଼ିଶାର ଅଷ୍ଟମ ଖେଳାଳି ଭାବେ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିବା ପ୍ରମୋଦ ଉଭୟ ଏକକ ଓ ଯୁଗଳ ବର୍ଗରେ ୪୫ରୁ ଅଧିକ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି। କେବଳ ୨୦୧୯ ମସିହାରେ ସେ ୧୧ଟି ସ୍ବର୍ଣ୍ଣ, ୩ ରୌପ୍ୟ ଓ ୪ଟି କାଂସ୍ୟ ପଦକ ଜିତିଥିଲେ। ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ସହ ସେ ମଧ୍ୟ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି। ଗତବର୍ଷ ପ୍ରମୋଦ ବିଡବ୍ଲ୍ୟୁଏଫ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ମନୋନୟନ ତାଲିକାରେ ସ୍ଥାନ ପାଇଥିଲେ।
ଅନ୍ୟପକ୍ଷରେ ନିଜ ସମୟରେ ଜଣେ ବହୁମୁଖୀ କ୍ରୀଡ଼ା ତାରକା ଥିବା ପଞ୍ଚାନନ ଦ୍ବିତୀୟ ଓଡ଼ିଆ ଭାବେ ଜାତୀୟ ପ୍ରତିଯୋଗିତାର ୧୧୦ ବାଧାଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରଶିକ୍ଷକ ଭାବେ ସେ ଅନୁରାଧା ବିଶ୍ବାଳ ଓ ରଚିତା ମିସ୍ତ୍ରୀଙ୍କ ଭଳି ଅଲିମ୍ପିଆନ୍ ସୃଷ୍ଟି କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.