ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଡିମାଣ୍ଡ; ନୀରଜ ଚୋପ୍ରାଙ୍କୁ କହିଲେ, ‘ମୁଁ ତୁମ ମା’ଙ୍କ ହାତର ଚୁର୍‌ମା ଖାଇବି’

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହେବାକୁ ଆଉ ବେଶୀ ଦିନ ନାହିଁ । ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଗେମ୍ସ ଖେଳାଯିବ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଖେଳାଳିମାନେ ନିଜ ନିଜ ପ୍ରସ୍ତୁତି ଶେଷ କରିବାରେ ବ୍ୟସ୍ତ ଅଛନ୍ତି । ଅଲିମ୍ପିକ୍ସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଖେଳାଳିଙ୍କୁ ଭେଟିଛନ୍ତି । ଏହି ସମୟରେ ପିଏମ୍‌ ଭାରତୀୟ ଦଳକୁ ଶୁଭକାମନା ଜଣାଇବା ସହ ଖେଳାଳିମାନଙ୍କ ଉତ୍ସାହ ବଢ଼ାଇବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହ କିଛି ଖେଳାଳି ଅନଲାଇନରେ ଯୋଡ଼ି ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଓ ଜାଭେଲିନ୍ ଥ୍ରୋଭର ନୀରଜ ଚୋପ୍ରା । ଏହି ସମୟରେ ପ୍ରଧାନମନ୍ତ୍ରୀ ନୀରଜ ଚୋପ୍ରାଙ୍କଠାରୁ ଏକ ସ୍ୱତନ୍ତ୍ର ଡିମାଣ୍ଡ କରିଥିଲେ ।

ପିଏମ୍‌ ମୋଦୀ ନୀରଜଙ୍କୁ କହିଥିଲେ, ‘ତେରା ଚୁର୍‌ମା ଅଭି ତକ୍‌ ଆୟା ନେହିଁ’ । ଏହା ଉପରେ ନୀରଜ କହିଥିଲେ, ‘ଚୁର୍‌ମା ଲେକର୍‌ ଆଏଙ୍ଗେ । ପିଛଲି ବାର୍‌ ଚିନି ଓ୍ଵାଲା ଚୁର୍‌ମା ଥା, ହରିୟାଣା ଓ୍ଵାଲା… ଦେଶୀ ଘି ଔର୍‌ ଗୁଡ଼ କା । ଏହା ଉପରେ ମୋଦୀ କହିଥିଲେ, ‘ମୁଝେ ତେରୀ ମା’ କେ ହାଥ୍‌ କା ଚୁର୍‌ମା ଖାନା ହୈ’ ।

ଏହାପରେ ନୀରଜ ଚୋପ୍ରା କହିଥିଲେ ଯେ ‘ନିଶ୍ଚୟ ସାର୍‌ । ବର୍ତ୍ତମାନ ମୁଁ ଜର୍ମାନୀରେ ଅଛି ଏବଂ ଟ୍ରେନିଂ ଭଲ ଚାଲିଛି । ମୁଁ ବହୁତ କମ୍ ପ୍ରତିଯୋଗିତାରେ ଭାଗ ନେଉଛି । କାରଣ, ମଝିରେ ମଝିରେ ଆହତ ହେଉଛି । ବର୍ତ୍ତମାନ ବହୁତ ଭଲ ଅଛି ଏବଂ ନିକଟରେ ଫିନଲ୍ୟାଣ୍ଡରେ ଏକ ପ୍ରତିଯୋଗିତାରେ ଭାଗ ନେଇଥିଲି । ଗୋଟିଏ ମାସ ଅଲିମ୍ପିକ୍ସ ପାଇଁ ରହିଛି । ନିଜକୁ ସମ୍ପୂର୍ଣ୍ଣ ଫିଟ୍ କରି ପ୍ୟାରିସ୍‌ ଯାଇ ୧୦୦ ପ୍ରତିଶତ ଦେବାକୁୁ ଚେଷ୍ଟା କରୁଛି’ ।

ନୀରଜ ଏହି ସମୟରେ ବହୁତ ଭଲ ଫର୍ମରେ ଅଛନ୍ତି । ସେ ଜୁନ୍ ୧୮ରେ ଫିନଲ୍ୟାଣ୍ଡର ତୁର୍କୁଠାରେ ଅନୁଷ୍ଠିତ ପାଭୋ ନୁରମି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।