ପୃଥୀ ଶ’ଙ୍କୁ ଝଟକା, କଟିଲା ମ୍ୟାଚ୍‌ ଫିର ୨୫ ପ୍ରତିଶତ

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତର ଭାବେ ପରାସ୍ତ ହେଉଛି । ଟିମ୍‌ ରବିବାର ଦିନ ଓ୍ଵାଙ୍ଖଡେ ଷ୍ଟାଡିଅମରେ ଖେଳାଯାଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ପଞ୍ଚମ ପରାଜୟର ସାମ୍ନା କରିଥିଲା । ଏହି ମ୍ୟାଚରେ ଦିଲ୍ଲୀକୁ ଲକ୍ଷ୍ନୌ ୬ ରନରେ ମାତ୍ ଦେଇଥିଲା । ଏହାସହ ଦଳ ପଏଣ୍ଟ ଟେବୁଲରେ ୬ ନମ୍ବର ସ୍ଥାନରେ ରହିଛି ।

କିନ୍ତୁ ପରାଜୟ ପରେ ଦଳକୁ ଆଉ ଏକ ଝଟ୍କା ଲାଗିଛି । ଦଳର ବ୍ୟାଟର ପୃଥ୍ୱୀ ଶ ଆଚାର ସଂହିତା ଉଲ୍ଲଙ୍ଘନ ମାମଲାରେ ଦଣ୍ଡିତ ହୋଇଛନ୍ତି । ଏହାସହ ତାଙ୍କ ଉପରେ ମ୍ୟାଚ୍ ଫିର ୨୫ ପ୍ରତିଶତ ଜରିମାନା ଲାଗିଛି । ଆଇପିଏଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୃଥ୍ଵୀ ଶ ଲକ୍ଷ୍ମୌ ବିପକ୍ଷରେ ମାତ୍ର ୫ ରନ୍‌ କରି ଦୁଷ୍ମନ୍ତ ଚମିରାଙ୍କ ବଲରେ ଆଉଟ୍‌ ହୋଇଥିଲେ।

ଆଇସିସିର ବୟାନ ଅନୁସାରେ, ପୃଥ୍ୱୀ ଆଇପିଏଲ ଆଚାର ସଂହିତାର ଅନୁଚ୍ଛେଦ ୨.୨ ଉଲ୍ଲଙ୍ଘନ କରିଛନ୍ତି । ସେ ଦୋଷ ସ୍ୱୀକାର କରିଛନ୍ତି । ଏଥିରେ ମ୍ୟାଚ୍ ରେଫରୀଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି । ଅମ୍ପାୟରଙ୍କ ବିରୋଧରେ କିଛି କହିବା କିମ୍ବା ଇଶାରା କରିବା ଦଣ୍ଡନୀୟ ଅପରାଧ ।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ଟସ୍‌ ଜିତି ଲକ୍ଷ୍ମୌ ସୁପରଜିଆଣ୍ଟସ ୨୦ ଓଭରରେ ୧୯୫ ରନ୍‌ କରିଥିଲା। କେଏଲ ରାହୁଲ ସର୍ବାଧିକ ୭୭ ରନ୍ କରିଥିଲେ । ତେବେ ଜବାବରେ ଦିଲ୍ଲୀ ୧୮୯ ରନରେ ଅଟକି ଯାଇଥିଲା । ଋଷଭ ପନ୍ତ ସର୍ବାଧିକ ୪୪ ରନ, ଅକ୍ଷର ପଟେଲ ଅପରାଜିତ ରହିଛି ୪୨ ରନ୍‌ କରିଥିଲେ। ସୁପରଜିଆଣ୍ଟସ ପକ୍ଷରୁ ମୋହାସିନ ଖାନ୍‌ ସବୁଠାରୁ ଅଧିକ ଚାରି ଓ୍ଵିକେଟ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.