ଚତୁର୍ଥ ଟେଷ୍ଟ : ପୂଜାରାଙ୍କ ଲଢ଼େଇ ଜାରି

ଲଣ୍ଡନ : ଚତୁର୍ଥ ଟେଷ୍ଟର ଦ୍ବିତୀୟ ଦିନ ଅର୍ଦ୍ଧଶତକ ହାସଲ କରି ଚେତେଶ୍ବର ପୂଜାରା ଦଳ ପାଇଁ ଲଢ଼େଇ ଜାରି ରଖିଛନ୍ତି । ଇଂଲଣ୍ଡର ୨୪୬ ରନ୍ ଜବାବରେ ଟିମ୍ ଇଣ୍ଡିଆ ଚା’ ପାନ ବିରତି ସୁଦ୍ଧା ୫ ୱିକେଟରେ କରିଛି ୧୮୧ ରନ୍ । ପୂଜାରା ୭୦ ରନ୍ କରି ଅପରାଜିତ ଅଛନ୍ତି । ତେବେ ଇଂଲଣ୍ଡର ପ୍ରଥମ ପାଳି ସ୍କୋରକୁ ଟପିବା ପାଇଁ ଭାରତକୁ ଆହୁରି ୬୫ ରନ୍ କରିବାକୁ ହେବ । ଗତକାଲି ବିନା ୱିକେଟରେ ୧୯ ରନ୍ କରିଥିଲା ଭ୍ରମଣକାରୀ ଦଳ । ଆଜି ଦୁଇ ଓପ୍ନର ଶିଖର ଧବନ ଓ ଲୋକେଶ ରାହୁଲ ଦଳୀୟ ସ୍କୋରକୁ ୩୭ ରନ୍ ପର୍ଯନ୍ତ ଟାଣି ନେବା ପରେ ରାହୁଲ ମାତ୍ର ୧୯ ରନ୍ କରି ଆଉଟ୍ ହେଲେ । ପରେ ୨୩ ରନରେ ଆଉଟ୍ ହୋଇଥିଲେ ଧବନ୍ । ୨ଟି ଯାକ ୱିକେଟ୍ ନେଇଥିଲେ ବ୍ରଡ୍ । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ୯୨ ରନର ଭାଗିଦାରୀ ପରେ କୋହଲି ୪୬ ରନ୍ କରି କୁରାନଙ୍କ ବଲରେ କୁକଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ । ତେବେ ଏହି ଇନିଂସ ବେଳେ ସେ ୬୦୦୦ ଟେଷ୍ଟ ରନ୍ ପୂରଣ କରିଛନ୍ତି । ପରେ ରାହାଣେ ମାତ୍ର ୧୧ ରନ୍ କରି ଷ୍ଟୋକ୍ସଙ୍କ ବଲରେ ଏବଂ ଋଷଭ ପନ୍ତ ଖାତା ନଖୋଲି ଆଉଟ୍ ହୋଇନଥିଲେ । ପନ୍ତ ୨୯ଟି ବଲ୍ ଖେଳି ଥିଲେ । ତାଙ୍କୁ ମୋଇନ୍ ଅଲୀ ଏଲବିଡବଲ୍ୟୁ କରି ଦେଇଥିଲେ ।