ଚତୁର୍ଥ ଟେଷ୍ଟ : ପୂଜାରାଙ୍କ ଲଢୁଆ ଅର୍ଦ୍ଧଶତକ, କୋହଲି ବଞ୍ଚିତ

ଲଣ୍ଡନ : ଚତୁର୍ଥ ଟେଷ୍ଟର ଦ୍ବିତୀୟ ଦିନରେ ଅର୍ଦ୍ଧଶତକ ହାସଲ କରି ଲଢ଼େଇ ଜାରି ରଖିଛନ୍ତି ଚେତେଶ୍ବର ପୂଜାରା । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି । ୯୨ ରନର ଭାଗିଦାରୀ ପରେ କୋହଲି ୪୬ ରନ୍ କରି କୁରାନଙ୍କ ବଲରେ କୁକଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ । ତେବେ ସେ ଏହି ଇନିଂସରେ ୬୦୦୦ ଟେଷ୍ଟ ରନ୍ ପୂରଣ କରିଛନ୍ତି । କୋହଲିଙ୍କ ପରେ ରାହାଣେ ମାତ୍ର ୧୧ ରନ୍ କରି ଷ୍ଟୋକ୍ସଙ୍କ ଇନସୁଇଙ୍ଗ ବଲରେ ଏଲବିଡବଲ୍ୟୁ ହୋଇଥିଲେ । ଇଂଲଣ୍ଡର ୨୪୬ ରନ୍ ଜବାବରେ ଟିମ୍ ଇଣ୍ଡିଆ ୫୦ ଓଭର ସୁଦ୍ଧା ୪ ୱିକେଟରେ କରିଛି ୧୬୬ ରନ୍ । ପୂଜାରା ୫୭ ରନ୍ କରି ଅପରାଜିତ ଥିବା ବେଳେ ଋଷଭ ପନ୍ତ ଖାତା ଖୋଲି ନଥିଲେ । ତେବେ ଇଂଲଣ୍ଡ ଦଳ ଠାରୁ ଆହୁରି ୮୦ ରନ୍ ପଛରେ ଅଛି ଭାରତୀୟ ଦଳ । ଗତକାଲି ବିନା ୱିକେଟରେ ୧୯ ରନ୍ କରିଥିଲା ଭ୍ରମଣକାରୀ ଦଳ । ଆଜି ଦୁଇ ଓପ୍ନର ଶିଖର ଧବନ ଓ ଲୋକେଶ ରାହୁଲ ଦଳୀୟ ସ୍କୋରକୁ ୩୭ ରନ୍ ପର୍ଯନ୍ତ ଟାଣି ନେବା ପରେ ରାହୁଲ ମାତ୍ର ୧୯ ରନ୍ କରି ଆଉଟ୍ ହେଲେ । ପରେ ୨୩ ରନରେ ଆଉଟ୍ ହୋଇଥିଲେ ଧବନ୍ । ୨ଟି ଯାକ ୱିକେଟ୍ ନେଇଥିଲେ ବ୍ରଡ୍ ।