ରାଜିଭ ଖେଳରତ୍ନ ନାମାଙ୍କନ ତାଲିକାରୁ ହଟିଲେ କ୍ରିକେଟର ହରଭଜନ ସିଂହ

ଖେଳରତ୍ନ ତାଲିକାରୁ ହଟିଲେ ଭଜି । ଏନେଇ ନିଜେ ଭଜି ହିଁ ଏବାବଦରେ ସୂଚନା ଦେଇଛନ୍ତି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ଆଜି ସ୍ପଷ୍ଟ କରିଛନ୍ତିକି, ଚଳିତ ବର୍ଷର ଖେଳରତ୍ନ ଆୱାର୍ଡ ପାଇଁ ସେ ଫିଟ ନାହାନ୍ତି । ଏହି କାରଣରୁ ହିଁ ପଞ୍ଜାବ ସରକାର ଚଳିତ ବର୍ଷର ରାଜୀବ ଗାନ୍ଧୀ ଖେଳରତ୍ନ ଆୱାର୍ଡ ନାମାଙ୍କନ ତାଲିକାରୁ ତାଙ୍କ ନାଁ କାଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଅନୁଯାୟୀ ଖେଳରତ୍ନ ପାଇଁ ଥିବା ମାନଦଣ୍ଡ ଗୁଡିକୁ ପୁରଣ କରିପାରି ନାହାନ୍ତି ଭଜି ।

ଏବାବଦରେ ହରଭଜନ ନିଜେ ଟ୍ୱିଟ ଜରିଆରେ କହିଛନ୍ତିକି, “ପଞ୍ଜାବ ସରକାର କାହିଁକି ନାମାଙ୍କନ ତାଲିକାରୁ ମୋ ନାଁ ଫେରେଇ ନେଲେ ସେ ନେଇ ମୋ ନିକଟକୁ ଅନେକ ଫୋନ କଲ ଆସୁଛି । ସତ ଏହିକି ଯେ ମୁଁ ଖେଳରତ୍ନ ପାଇଁ ଅଯୋଗ୍ୟ । ଖେଳରତ୍ନ ପାଇଁ ଗତ ତିନି ବର୍ଷର ଅନ୍ତରାଷ୍ଟ୍ରୀୟ ପ୍ରଦର୍ଶନ ଗୁଡିକୁ ହିଁ ଦେଖାଯାଇଥାଏ ।” ୪୦ ବର୍ଷୀୟ ଏହି କ୍ରିକେଟର ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତିକି, ଏଥିରେ ପଞ୍ଜାବ ସରକାରଙ୍କ କୌଣସି ଭୁଲ ନାହିଁ । ମୁଁ ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ ଅନୁରୋଧ କରୁଛିକି, ସେମାନେ କୌଣସି ପ୍ରକାର ମିଥ୍ୟା ଗୁଜବ ପ୍ରଚାର ନକରନ୍ତୁ ।

ସୂଚନା ଦେବା ଯୋଗ୍ୟକି, ଏହି ଅଫ ସ୍ପିନର ଜଣଙ୍କୁ ପୂର୍ବରୁ ଅର୍ଜୁନ ପୁରସ୍କାର ଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେ ୨୦୧୫ ମସିହାରେ ହିଁ ଶେଷ ଥର ପାଇଁ ଭାରତୀୟ ଦଳ ପକ୍ଷରୁ ଟେଷ୍ଟ ଓ ଦିନିକିଆ ମ୍ୟାଚରେ ପ୍ରତିନିଧିତ୍ବ କରିଥିଲେ । ନିଜ କ୍ୟାରିୟରରେ ଭଜି ଦିନିକିଆରେ ୨୬୯ ଓ ଟେଷ୍ଟ ମ୍ୟାଚରେ ୪୧୭ ଟି ଵିକେଟ ହାସଲ କରିଥିଲେ ।  ସୂଚନା ଦେବା ଯୋଗ୍ୟକି, ଏହି ବରିଷ୍ଠ ଖେଳାଳି ନିଜ ଲମ୍ବା କ୍ୟାରିୟରରେ ୧୦୩ ଟେଷ୍ଟ, ୨୩୬ ଦିନିକିଆ ଓ ୨୮ ଟି ଟି ୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବାର ରେକର୍ଡ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.