ଆଇପିଏଲ ୨୦୨୫ : ପଞ୍ଜାବ କିଙ୍ଗସର ଅଧିନାୟକ ହେଲେ ଶ୍ରେୟସ ଆୟର, ପ୍ରଥମ ମ୍ୟାଚ ଖେଳି ରଚିବେ ଇତିହାସ

ଶ୍ରେୟସ ଆୟରଙ୍କୁ ଆଇପିଏଲ ୨୦୨୫ ପାଇଁ ପଞ୍ଜାବ କିଙ୍ଗସର ଅଧିନାୟକ ହୋଇଛନ୍ତି । ଶ୍ରେୟସଙ୍କୁ ପଞ୍ଜାବ କିଙ୍ଗସ ୨୬.୭୫ କୋଟି ଟଙ୍କାରେ କିଣିଛି । ପଞ୍ଜାବ କିଙ୍ଗସ ଟିଭି ରିୟାଲିଟି ଶୋ’ ବିଗବସ ମଞ୍ଚରେ ଅଧିନାୟକ ନାମ ଘୋଷଣା କରିଛି ।
୨୦୨୫ ଆଇପିଏଲର ମେଗା ଅକ୍ସନରେ ଦ୍ୱିତୀୟ ଦାମୀ ଖେଳାଳି ପଞ୍ଜାବ କିଙ୍ଗସର ଅଧିନାୟକ ଭାବେ କାର୍ଯ୍ୟ କରିବେ । ୨୦୨୪ ଆଇପିଏଲରେ ଶ୍ରେୟସ ଆୟର କୋଲକତା ନାଇଟ ରାଇଡର୍ସର ଅଧିନାୟକତ୍ବ କରୁଥିଲେ । ହେଲେ ୨୦୨୫ରେ ପଞ୍ଜାବ କିଙ୍ଗସର ଦାୟିତ୍ବ ସମ୍ଭାଳିବେ ଶ୍ରେୟସ ।
ପଞ୍ଜାବ କିଙ୍ଗସ ଟିଭି ରିୟାଲିଟି ଶୋ’ ବିଗବସ ମଞ୍ଚରେ ଅଧିନାୟକ ନାମ ଘୋଷଣା କରିଛି । ବିଗବସ୍କୁ ହୋଷ୍ଟ କରୁଥିବା ବଲିଉଡ ଭାଇଜାନ ସଲମାନ ଖାନ ଆଜି ପଞ୍ଜାବ କିଙ୍ଗସର କ୍ୟାପ୍ଟେନଙ୍କ ନାଁ ଘୋଷଣା କରିଛନ୍ତି । ପଞ୍ଜାବର ୩ ଷ୍ଟାର ଖେଳାଳି ଶ୍ରେୟସ ଆୟର, ୟୁଜିବେନ୍ଦ୍ର ଚହଲ ଓ ଶଶାଙ୍କ ସିଂହ ବିଗବସ ମଞ୍ଚକୁ ଆସିଥିଲେ ।
୩୦ ବର୍ଷୀୟ ଆୟର ମଧ୍ୟ ଅଧିନାୟକ ପଦ ପାଇଁ ପ୍ରାଞ୍ଚାଇଜକୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, “ଟିମ ମୋ ଉପରେ ବିଶ୍ୱାସ ଦେଖାଇଥିବାରୁ ମୁଁ ବେଶ କୃତଜ୍ଞ । ମୁଁ କୋଚ୍ ରକି ପଣ୍ଟିଂଙ୍କ ସହ ପୁଣିଥରେ କାମ କରିବାକୁ ବେଶ ଉତ୍ସାହିତ । ଟିମ ପୂରା ଶକ୍ତିଶାଳୀ ରହିଛି । ଟିମକୁ ଜିତାଇବାକୁ ଚେଷ୍ଟା କରିବି ।
୨୦୨୪ରେ ଆୟର କେକେଆରର ଅଧିନାୟକ ଭାବେ ଦଳକୁ ଚାମ୍ପିୟନ କରାଇଥିଲେ । ତେବେ ମେଗା ଅକ୍ସନ ପୂର୍ବରୁ ତାଙ୍କୁ କେକେଆର ରିଲିଜ କରି ଦେଇଥିଲେ । ନିଲାମୀ ବେଳେ ପଞ୍ଜାବ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଥିଲା ।
ଶ୍ରେୟସ ଆୟର ୨୦୧୫ରେ ଆଇପିଏଲ ଡେବ୍ୟୁ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିଥିଲେ ଶ୍ରେୟସ ଆୟର । ୨୦୨୧ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳୁଥିଲେ । ଶ୍ରେୟସ ଆୟର ଦିଲ୍ଲୀ କ୍ୟାପିଟାଲ୍ସର ଦାୟିତ୍ବ ମଧ୍ୟ ସମ୍ଭାଳି ସାରିଛନ୍ତି । ଏହାସହିତ ଶ୍ରେୟସ ୩ଟି ଅଲଗା ଅଲଗା ଆଇପିଏଲ ଟିମର ଅଧିନାୟକ ଦାୟିତ୍ବ ତୁଲାଇଥିବା ପ୍ରଥମ ଭାରତୀୟ ଖେଳାଳି ।