ଟେନିସ ଦୁନିଆରେ ଏକ ଯୁଗର ଅବସାନ । ଅବସର ଘୋଷଣା କଲେ ରାଫେଲ ନାଡାଲ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେନିସ ଖେଳାଳି ରାଫେଲ ନାଡାଲ ନିଜର ପ୍ରିୟ ଖେଳକୁ ଅଲବିଦା କହିଛନ୍ତି । ୨୨ଥର ଗ୍ରାଣ୍ଡସ୍ଲାମ ବିଜେତା ନାଡାଲ ବେଶ ଭାବବିହ୍ୱଳ ହୋଇ ଗୋଟିଏ ଭିଡିଓ ଜାରି କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ଯେଉଁ ଖେଳ ଦ୍ୱାରା ସେ ନିଜର ପରିଚୟ ସୃଷ୍ଟି କରିଥିଲେ ଓ ସର୍ବକାଳୀନ ସମସ୍ତଙ୍କ ପସନ୍ଦର ଖେଳାଳି ହୋଇ ପାରିଥିଲେ ଏବେ ସେ ସେହି ଖେଳକୁ ଅବଲିବାଦ କହିବାକୁ ଯାଉଛନ୍ତି ।
ନଭେମ୍ବରରେ ଡେଭିସ କପ୍ ଫାଇନାଲରେ ପ୍ରତିନିଧିତ୍ବ କରି ସେ ତାଙ୍କର ବିଦାୟୀ ମ୍ୟାଚ୍ ଖେଳିବେ । ୨୨ ଥର ଗ୍ରାଉଣ୍ଡ ସ୍ଲାମ ଜିତିଥିବା ଏହି ଷ୍ଟାର ଟେନିସ ଖେଳାଳି ଜଣଙ୍କ ରେକର୍ଡ ୧୪ ଥର ଫ୍ରେଞ୍ଚ ଓପନ ଜିତିଛନ୍ତି । ନାଡାଲଙ୍କ ନାଁରେ ମୋଟ ୯୨ ଏଟିପି ଟାଇଟଲ୍ସ ରହିଛି । ଏହା ମଧ୍ୟରେ ୩୬ ମାଷ୍ଟର୍ସ ଟାଇଟଲ୍ସ ସହ ଗୋଟିଏ ଅଲିମ୍ପିକ୍ସ ମେଡାଲ ରହିଛି । ସିଙ୍ଗଲ୍ସରେ କ୍ୟାରିୟର ଗୋଲଡେନ ସ୍ଲାମ ଶେଷ କରିଥିବା ଟେନିସ ଇତିହାସର ୩ ଖେଳାଳିଙ୍କ ମଧ୍ୟରେ ମଧ୍ୟ ନାଡାଲ ରହିଛନ୍ତି । କ୍ଲେ କୋର୍ଟରେ ଖେଳାଯାଉଥିବା ଫ୍ରେଞ୍ଚ ଓପନରେ ସର୍ବାଧିକ ୧୪ଟି ଟାଇଟଲ ହାସଲ କରିଥିବାବେଳେ ୪ଟି ୟୁଏସ ଓପନ, ୨ଟି ୱିମ୍ବଲଡନ ଓ ୨ଟି ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିଛନ୍ତି ।