ବୋନସ ଟଙ୍କା ନେବାକୁ ମନା କରିଦେଲେ ରାହୁଲ ଦ୍ରାବିଡ, ଅନ୍ୟ ଷ୍ଟାଫ କୋଚ୍ଙ୍କ ସହିତ ସମାନ ଟଙ୍କା ନେବେ

ପୁଣି ସମସ୍ତଙ୍କ ହୃଦୟ ଜିତିନେଲେ ରାହୁଲ ଦ୍ରାବିଡ । ଦ୍ରାବିଡଙ୍କ କୋଚ୍ ଦାୟିତ୍ୱରେ ଥିବା ବେଳେ ଭାରତ ଟି୨୦ ବିଶ୍ୱକପ ୧୭ ବର୍ଷ ପରେ ଜିତିଛି । ଏହାସହିତ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କୋଚ୍ ଭାବରେ ନିୟୋଜିତ କରିଛି ବିସିସିଆଇ । ଏହାପରେ ରାହୁଲ ଦ୍ରାବିଡଙ୍କ ଆଉ ଏକ ନିଷ୍ପତ୍ତି ସମସ୍ତଙ୍କ ହୃଦୟ ଜିତି ନେଇଛି । ବିସିସିଆଇ ତରଫରୁ ବିଶ୍ୱକପ ବିଜୟୀ ଦଳକୁ ମିଳିଥିବା ବୋନସ ଟଙ୍କା ନେବା ପାଇଁ ମନା କରି ଦେଇଛନ୍ତି କୋଚ୍ ରାହୁଲ ଦ୍ରାବିଡ । ଅନ୍ୟ ଷ୍ଟାଫ କୋଚଙ୍କ ଅନୁସାରେ ସେ ମଧ୍ୟ ସମାନ ଟଙ୍କା ନେବାକୁ ଦ୍ରାବିଡ ନିଷ୍ପତ୍ତି ନେଇଛନ୍ତି । ଅତିରିକ୍ତ ବୋନସ ନେବାକୁ ଦ୍ରାବିଡି ମନା କରିଦେଇଛନ୍ତି ।
ଟି୨୦ ବିଶ୍ୱକପ ବିଜେତା ଭାରତୀୟ ଟିମକୁ ବିସିସିଆଇ ତରଫରୁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ପୁରସ୍କାର ରାଶିକୁ ଖେଳାଳି, ସପୋର୍ଟ ଷ୍ଟାଫ, କୋଚ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ବଣ୍ଟାଯିବ । ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ବିସିସିଆଇ ଦେଉଥିବା ପୁରସ୍କାର ରାଶିକୁ ଇନଭଏସ ଜମା କରିବା ପାଇଁ କୁହାଯାଇଛି ।
କିନ୍ତୁ ଦ୍ରାବିଡଙ୍କୁ ମିଳିବାକୁ ଥିବା ରାଶିର ଅଧା ଟଙ୍କା ନେବା ପାଇଁ ମନା କରିଛନ୍ତି । ଚମ୍ପିଆନ୍ ଦଳର ମୁଖ୍ୟ କୋଚ୍ ଭାବରେ ରାହୁଲ ଦ୍ରାବିଡଙ୍କୁ ୫ କୋଟି ଟଙ୍କା ପୁରସ୍କାର ରାଶି ଭାବରେ ପ୍ରଦାନ କରାଯାଇଥିଲା । ତେବେ ଅନ୍ୟ ସପୋର୍ଟ କୋଚମାନଙ୍କୁ ୨.୫୦ କୋଟି ପ୍ରଦାନ କରାଯାଇଥିଲା । ତେଣୁ ସେ ଦଳର ଅନ୍ୟ କୋଚମାନଙ୍କ ପରି ୨.୫୦ କୋଟି ଟଙ୍କା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାହୁଲଙ୍କ ସପୋର୍ଟ ଷ୍ଟାଫରେ ବିକ୍ରମ ରାଠୋର, ପାରସ ମହାମ୍ବ୍ରେ, ଟି ଦିଲ୍ଲୀପ ସାମିଲ ରହିଛନ୍ତି ।
ରିପୋର୍ଟ ମୁତାବକ, ଭାରତୀୟ ଟିମର ସହଯୋଗୀ କୋଚମାନଙ୍କୁ ମିଳିଥିବା ବୋନସ ରାଶି ତୁଳନାରେ ଦ୍ରାବିଡ ମଧ୍ୟ ସମାନ ଟଙ୍କା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଦ୍ରାବିଡଙ୍କ ଏହି ନିଷ୍ପତ୍ତିକୁ ବିସିସିଆଇ ମଧ୍ୟ ସମ୍ମାନ ଜଣାଇଛି । ଏହାପୂର୍ବରୁ ଅଣ୍ଡର-୧୯ ବିଶ୍ୱକପ ବିଜୟ ସମୟରେ ମଧ୍ୟ ଏହି ନିଷ୍ପତ୍ତି ନେଇଥିଲେ ରାହୁଲ ଦ୍ରାବିଡ ।
ସୂଚନାଯୋଗ୍ୟ, ଭାରତୀୟ ଟିମ୍ ୨୯ ଜୁରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଟି୨୦ ବିଶ୍ୱକପ ଜିତିଥିଲା । ଦୀର୍ଘ ୧୭ ବର୍ଷ ପରେ ଟି୨୦ ବିଶ୍ୱକପ ଜିତି ଟିମ୍ କୋଟି କୋଟି ଫ୍ୟାନ୍ସଙ୍କୁ ଉପହାର ଦେଇଥିଲା । ଏହା ଭାରତ ବିଶ୍ୱକପ କ୍ରିକେଟରେ ୪ର୍ଥ ବିଜୟ । ପ୍ରଥମେ ୧୯୮୩ରେ କପିଲ ଦେବଙ୍କ ଅଧିନାୟକରେ ଭାରତ ଦିନିକିଆ ବିଶ୍ୱକପ ଜିତିଥିଲା । ଏହାପରେ ୨୦୦୭ ଏବଂ ୨୦୧୧ରେ ଧୋନିଙ୍କ ଅଧିନାୟକତ୍ୱରେ ଟି୨୦ ଏବଂ ଦିନିକିଆ ବିଶ୍ୱକପ ଜିତିଥିଲା । ପୁଣିଥରେ ରୋହିତଙ୍କ ଅଧିନାୟକତ୍ୱରେ ଭାରତ ୧୭ ବର୍ଷ ପରେ ଟି୨୦ ବିଶ୍ୱକପ ଜିତିଛି ।