ଓଡ଼ିଶା-ଜମ୍ମୁ କଶ୍ମୀର ରଣଜୀ ମ୍ୟାଚ୍ : ଅଭିଷେକ ରାଉତଙ୍କ ଶତକ, ଓଡ଼ିଶା ୧୯୬ ରନ୍ରେ ଆଗୁଆ

ଭୁବନେଶ୍ୱର (କେ ନ୍ୟୁଜ୍) : ଅଭିଷେକ ରାଉତଙ୍କ ପ୍ରଥମ ରଣଜୀ ଶତକ ବଳରେ ପ୍ରଥମ ଇନିଂସ୍ରେ ୧୯୬ ରନ୍ରେ ଆଗୁଆ ରହିଛି ଓଡ଼ିଶା ଦଳ । ଜମ୍ମୁରେ ଚାଲିଥିବା ରଣଜୀ ମ୍ୟାଚ୍ର ଆଜି ଦ୍ୱିତୀୟ ଦିବସରେ ୭ ନମ୍ବର ବ୍ୟାଟ୍ସମ୍ୟାନ୍ ଅଭିଷେକ ୧୧୬ ରନ୍ କରିଥିଲେ । ୨୧୨ ବଲ୍ର ସାମନା କରି ସେ ୧୧ଟି ଚୌକା ଓ ୩ଟି ଛକା ମାରିଥିଲେ । ତାଙ୍କ ଯୋଗୁଁ ଦଳ ପ୍ରଥମ ଇନିଂସ୍ରେ ୩୨୩ ରନ୍ କରି ଅଲ୍ଆଉଟ୍ ହୋଇଛି ।
ଅଭିଷେକଙ୍କ ବ୍ୟତୀତ ଯୁବ ବ୍ୟାଟ୍ସମ୍ୟାନ୍ ଦେବାଶିଷ ସାମନ୍ତରାୟ ବଢ଼ିଆ ବ୍ୟାଟିଂ କରି ୮୫ ରନ୍ କରିବା ପରେ ମାତ୍ର ୧୫ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ସେ ୧୯୦ ବଲ୍ ଖେଳି ୭ଟି ଚୌକା ଓ ୨ଟି ଛକା ମାରିଥିଲେ । ଅଭିଷେକ ଓ ଦେବାଶିଷଙ୍କ ମଧ୍ୟରେ ଷଷ୍ଠ ଓ୍ଵିକେଟ୍ରେ ୧୦୩ ରନ୍ର ଭାଗିଦାରୀ ହୋଇଥିଲା । ଯାହା ଓଡ଼ିଶା ପାଇଁ ମୂଲ୍ୟବାନ୍ ସାବ୍ୟସ୍ତ ହୋଇଥିଲା । ଏ ଦୁହିଙ୍କ ବ୍ୟତୀତ ଓପ୍ନର ଅନୁରାଗ ଷଡ଼ଙ୍ଗୀ ୫୭ ରନ୍ କରିଥିଲେ । ଆଉ ସମସ୍ତେ ଫ୍ଲପ୍ ମାରିଥିଲେ । ଶୁଭ୍ରାଂଶୁ ସେନାପତି ୪, ପୁଣିଥରେ ଫେଲ୍ ମାରି ଗୋବିନ୍ଦ ପୋଦ୍ଦାର ୨ ଏବଂ ଅଧିନାୟକ ବିପ୍ଳବ ସାମନ୍ତରାୟ ୧ ରନ୍ କରି ଆଉଟ୍ ହୋଇଥିଲେ ।
ଜମ୍ମୁ କଶ୍ମୀର ପକ୍ଷରୁ ଇରଫାନ୍ ପଠାନ୍ ୪, ଉମର ନାଜିର ମିର ୩ଟି ଏବଂ ମହମ୍ମଦ ମୁଦାସିର ୨ଟି ଓ୍ଵିକେଟ୍ ଦଖଲ କରିଥିଲେ । ପ୍ରଥମ ଇନିଂସ୍ରେ ଘରୋଇ ଦଳ ୧୨୭ ରନ୍ କରି ଅଲ୍ଆଉଟ୍ ହୋଇଥିଲା ।
ସ୍କୋର : ଜମ୍ମୁ କଶ୍ମୀର ପ୍ରଥମ ଇନିଂସ୍-୧୨୭ । ଓଡ଼ିଶାପ୍ରଥମ ଇନିଂସ୍-୩୨୩, ୧୦୬.୩ ଓଭର (ଅନୁରାଗ ଷଡ଼ଙ୍ଗୀ ୫୭, ଦେବାଶିଷ ସାମନ୍ତରାୟ ୮୫, ଅଭିଷେକ ରାଉତ ୧୧୬ । ଇରଫାନ୍ ପଠାନ୍ ୨୧-୯-୫୨-୪, ଉମର ନଜିର ମୀର ୧୮-୨-୪୯-୩, ମହମ୍ମଦ ମୁଦାସିର ୧୬.୩-୨-୫୫-୨) ।