ଟି୨୦ ଇଣ୍ଟରନ୍ୟାସନାଲରୁ ରବିନ୍ଦ୍ର ଜାଡେଜାଙ୍କ ଅବସର, ବିରାଟ ଓ ରୋହିତଙ୍କ ପରେ ନେଲେ ନିଷ୍ପତ୍ତି
![jadeja](https://knewsodisha.com/wp-content/uploads/2023/12/jadeja.jpg)
ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ନିରାଶ ଖବର । ବିରାଟ ଏବଂ ରୋହିତଙ୍କ ପରେ ଟି୨୦ କ୍ରିକେଟରୁ ସନ୍ନ୍ୟାସ ନେଲେ ରବିନ୍ଦ୍ର ଜାଡେଜା । ଜାଡେଜା ୭୪ଟି ଟି୨୦ ମ୍ୟାଚ ଖେଳିଛନ୍ତି । ୭୪ଟି ମ୍ୟାଚରେ ଜାଡେଜା ୫୧୫ ରନ୍ କରିଥିବା ବେଳେ ୫୪ଟି ଓ୍ଵିକେଟ ନେଇଛନ୍ତି ।
ଗତକାଲି ଟି୨୦ ବିଶ୍ୱକପ ଜିତିବା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଟି୨୦ ଇଣ୍ଟରନ୍ୟାସନାଲ କ୍ୟାରିଅରରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଏମାନଙ୍କ ପରେ ଏବେ ରବିନ୍ଦ୍ର ଜାଡେଜା ସନ୍ନ୍ୟାସ ନେଇଛନ୍ତି ।
୨୦୦୯ ମସିହା ଫେବୃଆରୀ ୧୦ ତାରିଖରେ ଜାଡେଜା ଟି-୨୦ ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୯ ରନ୍ ଦେଇଥିଲେ । ଏଥିସହିତ ବ୍ୟାଟିଂରେ ୭ଟି ବଲ ଖେଳି ୫ ରନ୍ ସଂଗ୍ରହ କରିଥିଲେ । ଗତକାଲି ଖେଳାଯାଇଥିବା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଜାଡେଜା ୨ ରନ୍ କରିବା ସହ କୌଣସି ୱିକେଟ ନେଇନଥିଲେ ।
ଭାରତୀୟ ଟିମ୍ ସାଉଥ ଆଫ୍ରିକାକୁ ୭ ରନରେ ହରାଇ ଟି୨୦ ବିଶ୍ୱକପ ୨୦୨୪ ଟ୍ରଫି ହାତେଇଛି । ଭାରତ ଶେଷ ଥର ପାଇଁ ଆଇସିସି ଟ୍ରଫି ୨୦୧୩ରେ ଜିତିଥିଲା । ଏହାପରେ ଟିମ୍ ଅନେକ ଥର ଆଇସିସି ଫାଇନାଲରେ ପହଞ୍ଚିଛି କିନ୍ତୁ ଟ୍ରଫି ହାତେଇନଥିଲା । କିନ୍ତୁ ଏଥର ଟ୍ରଫି ହାତେଇ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛି । ରୋହିତ ଶର୍ମା ଭାରତ ପାଇଁ ଟି୨୦ ବିଶ୍ୱକପ ଟ୍ରଫି ଜିତିଥିବା ଦ୍ୱିତୀୟ ଅଧିନାୟକ ହୋଇଛନ୍ତି ।
ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ରୋହିତ ଶର୍ମା କହିଥିଲେ, ବିଦାୟ ନେବା ପାଇଁ ଏହାଠାରୁ ବଡ଼ ଅବସର ଆଉ କ’ଣ ହୋଇପାରେ। ମୁଁ ଏହି ଟ୍ରଫି ଜିତିବା ପାଇଁ ଖୁବ୍ ବ୍ୟଗ୍ର ଥିଲି।