ରବିନ୍ଦ୍ର ଜାଡେଜାଙ୍କ ଆଣ୍ଠୁ ସର୍ଜରୀ ସଫଳ, ବିଶ୍ୱକପ୍‌ ପାଇଁ ଖୁବଶୀଘ୍ର ମଇଦାନକୁ ଫେରିବେ

ଆଣ୍ଠୁରେ ଆଘାତ ଲାଗିବା ଯୋଗୁଁ ଏସିଆ କପ୍‌ ୨୦୨୨ରୁ ବାଦ୍‌ ପଡିଥିଲେ ଭାରତୀୟ ଟିମର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଏବେ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ସଫଳ ହୋଇଛି । ଜାଡେଜା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଆଣ୍ଠୁ ସର୍ଜରୀ ସଫଳ ହୋଇଥିବା ଖବର ଜଣାଇଛନ୍ତି। ଖୁବଶୀଘ୍ର ସେ ଫିଟନେସ ଫେରିପାଇବାକୁ ପ୍ରସ୍ତୁତି ଆରମ୍ଭ କରିବେ । ତେବେ ତାଙ୍କୁ ନେଇ ଚାଲିଥିବା ସମସ୍ତ ପ୍ରକାରର ଚର୍ଚ୍ଚା ଉପରେ ବିରାମ ଲଗାଇ ଦ୍ରାବିଡ କହିଛନ୍ତି, ଖୁବଶୀଘ୍ର ବିଶ୍ୱକପ ପାଇଁ ଜାଡେଜା ଫେରିବା ନେଇ ଆଶା ରଖିଛି ଟିମ୍‌ ମ୍ୟାନେଜମେଣ୍ଟ  ।

ଜାଡେଜା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ସର୍ଜରୀ ସଫଳ ହେଲା, ବିସିସିଆଇ, ମୋ ସହଯୋଗୀ, ଷ୍ଟାଫ, ଫିଜିଓ, ଡାକ୍ତର ଏବଂ ଫ୍ୟାନ୍ସଙ୍କ ସମର୍ଥନ ପାଇଁ ଧନ୍ୟବାଦ। ମୁଁ ଖୁବଶୀଘ୍ର ଅଭ୍ୟାସ ଆରମ୍ଭ କରିବି ଆଉ କ୍ରିକେଟ ମଇଦାନକୁ ଓହ୍ଲାଇବି। ଆପଣ ସମସ୍ତଙ୍କ ଶୁଭକାମନା ପାଇଁ ଧନ୍ୟବାଦ।

 

ଆଜି ଟ୍ୱିଟର ଓ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଜାଡେଜା ଅସ୍ତ୍ରୋପଚାର ସଫଳ ହୋଇଥିବା ସମର୍ଥକଙ୍କୁ ଜଣାଇଛନ୍ତି । ଖୁବ୍ ଶୀଘ୍ର ଫିଟ୍ ହୋଇ ଦଳକୁ ଫେରିବେ ବୋଲି ମଧ୍ୟ ଜାଡେଜା ଟ୍ୱିଟ୍ କରି ଜଣାଇଛନ୍ତି । ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ଜାଡେଜା ସବୁ ଫର୍ମାଟ ପାଇଁ ଦମଦାର ଖେଳାଳି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜାଡେଜା ମ୍ୟାଚ୍‌କୁ କୌଣସି ସମୟରେ ପରିବର୍ତ୍ତନ କରିବାର ଶୈଳୀ ରଖନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଜାଡେଜା। ଜାଡେଜା ଅଭ୍ୟାସ ସମୟରେ ଆହତ ହୋଇଥିଲେ । ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା।  ତେବେ ପାକିସ୍ତାନ ସହିତ ଖେଳିବା ବେଳେ ଜାଡେଜା ୨ ଓଭର ବୋଲିଂ କରି ମାତ୍ର ୧୧ ରନ୍‌ ଦେଇଥିଲେ। ଭାରତ ୧୪୮ ରନର ପିଛା କରୁଥିବା ସମୟରେ ୪ ନଂ ରେ ବ୍ୟାଟିଂ କରିବାକୁ ଆସି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜାଡେଜା ଏବଂ ହାର୍ଦ୍ଦିକ ମିଶି ୫୨ ରନର ସହଭାଗିତାରେ ୨୯ ବଲରେ ୩୫ ରନ୍‌ କରିଥିଲେ। ତା’ ପରେ ମହମ୍ମଦ ନଓ୍ଵାଜଙ୍କ ବଲରେ ଆଉଟ୍‌ ହୋଇଥିଲେ। ପରେ ମ୍ୟାଚକୁ ଛକା ମାରି ସମାପ୍ତ କରିଥିଲେ ପାଣ୍ଡ୍ୟା।

ସେହିପରି ହଂକଂ ବିପକ୍ଷରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିନଥିଲା। ଏହି ସମୟରେ ମଧ୍ୟ ୪ ଓଭର ବୋଲିଂ କରି ମାତ୍ର ୧୫ ରନ୍‌ ଦେଇଥିଲେ ଜାଡେଜା।

ଏସିଆ କପ୍‌ରୁ ବାଦ୍‌ ପଡିବା ପରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଥିଲା। ଅକ୍ଷର ପଟେଲଙ୍କୁ ଏସିଆ କପ୍‌ ୨୦୨୨ରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଟିମ୍‌ରେ ଜାଗା ମିଳିଥିଲା।

 

Also Read : ଲଙ୍କା ସେନା ଆଗରେ ଫେଲ୍ ମାରିଲା ରୋହିତଙ୍କ ବାହିନୀ, ପାକିସ୍ତାନ ପରେ ଶ୍ରୀଲଙ୍କାଠୁ ମ୍ୟାଚ୍ ହାରିଲା ଇଣ୍ଡିଆ 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.