ଏମାନେ ଏବେ ଅବସର ନେଇଯିବା ଉଚିତ, ଏମିତି କହିଲେ ପୂର୍ବତନ ଖେଳାଳି

ଏକଥା ସତ ଯେ ଯଦି ତୁମେ ଜିତୁଥିବ ତେବେ ଦଳରେ ଯେତେ ଦୁର୍ବଳତା ଥିଲେ ବି ସବୁ ଘୋଡ଼େଇ ହୋଇଯିବ । ଆଉ ସବୁଠୁ ଭଲ ଟିମ୍‌ର ମାନ୍ୟତା ଥିଲେ ମଧ୍ୟ ଯଦି ତୁମେ ହାରିବ ତେବେ ଶହେ ପ୍ରକାର ସମାଲୋଚନାର ଶିକାର ହେବାକୁ ପ୍ରସ୍ତୁତ ରହିବା ଦରକାର । ଏବେ ଯେମିତି ଭାରତୀୟ କ୍ରିକେଟ୍‌ ଦଳ କେତେ କେତେ ସମାଲୋଚନାର ସାମନା କରୁଛି ।

ଅବଶ୍ୟ ଏକଥା ସତ ଯେ ଟି୨୦ ବିଶ୍ୱ କପ୍‌ ସେମିଫାଇନାଲରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଠାରୁ ଅତି ଶୋଚନୀୟ ଭାବରେ ହାରିଗଲା । ଜିତିଥିଲେ ଫାଇନାଲରେ ପହଞ୍ଚିଥାନ୍ତା ଆଉ କ୍ରିକେଟ୍‌ ପ୍ରେମୀ ଖୁସି ହୋଇଥାନ୍ତେ । ହେଲେ ଇଏ ତ ଖେଳ, ଏମିତି ଖେଳ ହେଲା ଯେ ଭାରତ ୧୦ ଓ୍ଵିକେଟ୍‌ରେ ହାରିଲା । ତେଣୁ ପୁଣି ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ଏବଂ ଚୟନକର୍ତ୍ତାଙ୍କ ଖେଳଳି ଚୟନ ଉପରେ ପ୍ରଶ୍ନ ଉଠିଛି । ଏସବୁ ଭିତରେ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର କହିଛନ୍ତି ଯେ ଭାରତୀୟ ଦଳର କିଛି ବରିଷ୍ଠ ଖେଳାଳି କ୍ରିକେଟ୍‌ରୁ ଅବସର ନେଇଯିବା ଦରକାର ।

ପାନେସରଙ୍କ ମତରେ ଅଧିନାୟକ ରୋହିତ ଶର୍ମା, ଓ୍ଵିକେଟ୍‌ କିପର/ବ୍ୟାଟର ଦୀନେଶ କାର୍ତ୍ତିକ ଏବଂ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍‌ ଦଳରୁ ନିଜେ ଓହରି ଯାଇ ଯୁବ ଖେଳାଳିମାନଙ୍କୁ ବାଟ ଛାଡ଼ିବା ଉଚିତ । ଏହି ତିନି ଜଣ ଖେଳାଳିଙ୍କର ବୟସ ହେଲାଣି । ପୁଣି ସେମାନେ ଭଲ ଫର୍ମରେ ନାହାନ୍ତି । ଯଦିଓ କୋହଲି ବି କ୍ୟାରିୟରର ଶେଷ ଭାଗରେ ଅଛନ୍ତି କିନ୍ତୁ ସେ ଯେଭଳି ରନ୍‌ ସ୍କୋର କରୁଛନ୍ତି ତାଙ୍କୁ ଦଳ କେବେବି ବାଦ୍‌ ଦେଇ ପାରିବ ନାହିଁ । ଏହି ଟି୨୦ ବିଶ୍ୱ କପ୍‌ରେ ସେ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି । ତେଣୁ କୋହଲିଙ୍କ ଉପସ୍ଥିତି ଦଳ ପାଇଁ ସବୁବେଳେ ଲାଭଦାୟକ ହେବ ବୋଲି ପାନେସର କହିଛନ୍ତି ।

ଯଦି ଇଂଲଣ୍ଡର ଏହି ପୂର୍ବତନ ଖେଳାଳିଙ୍କ ମତକୁ ବିଚାର କରିବା ତେବେ ନିଶ୍ଚିତ ଭାବେ ସେ ଭୁଲ କଥା କହୁନଥିବା ଜଣାପଡ଼ିବ । ତେବେ ଫର୍ମ ହେଉଛି ପ୍ରଥମ କଥା । ଯଦି ଫର୍ମ ଓ ପରଫର୍ମ ନରହିବ ତେବେ ଦଳରୁ ଖେଳାଳି ବିଦା ହେବା ଉଚିତ । କାରଣ ଭାରତରେ ଦକ୍ଷ କ୍ରିକେଟ୍‌ ଖେଳାଳିଙ୍କ ଅଭାବ ନାହିଁ । ଅନେକ ଦକ୍ଷ ପ୍ରତିଭା ଘରୋଇ ପ୍ରତିଯୋଗିତାରେ ଚମତ୍କାର ଖେଳ ଦେଖାଇ ଜାତୀୟ ସିନିୟର ଟିମ୍‌ରେ ପ୍ରବେଶ ପାଇଁ ଅପେକ୍ଷା କରି ରହିଛନ୍ତି ।

 

Leave A Reply

Your email address will not be published.