ଏମିତିରେ ରେକର୍ଡ଼ ମ୍ୟାନ୍ ଭାବେ ଜଣାଶୁଣା ହେଉଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ହେଲେ ତାଙ୍କ ଭଳି ତାଙ୍କ ଭାଇସ୍ କ୍ୟାପଟେନ୍ ରୋହିତ ଶର୍ମା ଯେ ରେକର୍ଡ଼ ପରେ ରେକର୍ଡ଼ ବନାଇ ଚାଲିଛନ୍ତି ଏକଥା ଧୀରେ ଧୀରେ ସ୍ପଷ୍ଟ ହୋଇଛି । ଚଳିତ ବିଶ୍ୱକପ୍ରେ ରୋହିତ ୪ଟି ଶତକ ହାସଲ କରି ସାରିଲେଣି । ଆଉ ସମକକ୍ଷ ହୋଇଛନ୍ତି ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଶତକ ହାସଲ କରିବାରେ । ଏହି ରେକର୍ଡ଼ ପୂର୍ବରୁ ରହିଛି ଶ୍ରୀଲଙ୍କାର ପୂର୍ବତନ ଓ୍ଵିକେଟ୍ କିପର ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରାଙ୍କ ନାଁରେ । ସାଙ୍ଗାକାରା ୨୦୧୫ ବିଶ୍ୱକପ୍ରେ ୪ଟି ଶତକ ହାସଲ କରିଥିଲେ । ତେବେ ଅନ୍ୟ ବିଶ୍ୱକପ୍କୁ ମିଶାଇଲେ ରୋହିତଙ୍କର ଇଏ ହେଉଛି ପଞ୍ଚମ ଶତକ ।
ମଙ୍ଗବାର ଦିନ ବର୍ମିଂହାମ୍ରେ ଖେଳା ଯାଇଥିବା ଭାରତ-ବାଂଲାଦେଶ ମ୍ୟାଚ୍ରେ ଏହି ରେକର୍ଡ଼କୁ ମିଶାଇ ମୋଟ୍ ୧୩ଟି ରେକର୍ଡ଼ ହୋଇଛି । ତେବେ ଆସନ୍ତୁ ନଜର ପକାଇବା ରୋହିତ ଶର୍ମାଙ୍କ ରେକର୍ଡ଼ ଉପରେ ।
୧-ରୋହିତ ଶର୍ମା ଓ ଲୋକେଶ ରାହୁଲ ଏହି ମ୍ୟାଚ୍ର ଓପନିଂ ଭାଗିଦାରୀରେ ୧୮୦ ରନ୍ ସଂଗ୍ରହ କରିଥିଲେ । ଯାହା ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ । ପୂର୍ବରୁ ଇଂଲଣ୍ଡର ଜାସନ୍ ରାୟ ଓ ଜନୀ ବ୍ୟାରେଷ୍ଟୋ ଭାରତ ବିରୋଧରେ ୧୬୦ ରନ୍ ସଂଗ୍ରହ କରିଥିଲେ ।
୨-ଚଳିତ ବିଶ୍ୱକପ୍ରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ମଧ୍ୟ ରୋହିତଙ୍କ ନାଁ ରହିଛି । ସେ ଏଯାଏ ୮ଟି ମ୍ୟାଚ୍ ଖେଳି ୫୪୪ ରନ୍ ସଂଗ୍ରହ କରିଛନ୍ତି । ଅଷ୍ଟ୍ରେଲିଆର ଡେଭିଡ୍ ଓ୍ଵାର୍ଣ୍ଣର ୫୧୬ ଓ ଆରୋନ୍ ଫିଞ୍ଚ ୫୦୪ ରନ୍ କରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।
୩-ସଚିନ୍ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ରୋହିତ ଶର୍ମା, ଯିଏକି ବିଶ୍ୱକପ୍ର ଗୋଟିଏ ଟୁର୍ଣ୍ଣାମେଣ୍ଟରେ ପାଞ୍ଚଶହରୁ ଅଧିକ ରନ୍ ସ୍କୋର କରିଛନ୍ତି । ତେନ୍ଦୁଲକର ଏହି ରେକର୍ଡ଼ ଦୁଇ ଦୁଇଥର କରିଛନ୍ତି । ସେ ୧୯୯୬ରେ ୫୨୩ ରନ୍ ଏବଂ ୨୦୦୩ରେ ୬୭୩ ରନ୍ ସ୍କୋର କରିଥିଲେ ।
୪-ରୋହିତ ଆଉ ଗୋଟିଏ ଶତକ କଲେ ବିଶ୍ୱକପ୍ରେ ସର୍ବାଧିକ ଶତକ ହାସଲକାରୀ ସଚିନ୍ଙ୍କ ସମକକ୍ଷ ହେବେ । ସଚିନ୍ ସର୍ବାଧିକ ୬ଟି ବିଶ୍ୱକପ୍ ଖେଳି ମୋଟ୍ ୬ଟି ଶତକ ହାସଲ କରିଛନ୍ତି । ରୋହିତ ଏବେ ୫ଟିରେ ଅଛନ୍ତି ।
୫-ବାଂଲାଦେଶ ବିପକ୍ଷରେ ରୋହିତ କରିଥିବା ଶତକ ହେଉଛି ଦିନିକିଆ ଆନ୍ତର୍ଜାତିକରେ ତାଙ୍କର ୨୬ତମ ଶତକ । ସର୍ବାଧିକ ଶତକ ତାଲିକାରେ ବିଶ୍ୱରେ ଏବେ ସେ ୬ ନମ୍ବର ସ୍ଥାନକୁ ଆସିଛନ୍ତି ।
୬-ଦିନିକିଆ ଆନ୍ତର୍ଜାତିକରେ ବର୍ତ୍ତମାନ ସୁଦ୍ଧା ରୋହିତ ମୋଟ୍ ୮,୫୪୪ ରନ୍ ସଂଗ୍ରହ କରିଛନ୍ତି ।
୭-ଏହି ବିଶ୍ୱକପ୍ରେ ରୋହିତ ତୃତୀୟଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି । ଏହି ରେକର୍ଡ଼ରେ ସେ ସଚିନ୍ଙ୍କ ସମକକ୍ଷ ହୋଇଛନ୍ତି । ତେବେ ବିଶ୍ୱକପ୍ରେ ଭାରତୀୟ ଖେଳାଳି ଭାବେ ସର୍ବାଧିକ ୪ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଜିତିବାର ରେକର୍ଡ଼ ରହିଛି ଯୁବରାଜ ସିଂହଙ୍କ ନାଁରେ ।
ଆଗକୁ ଅତି କମ୍ରେ ରୋହିତ ଆହୁରି ଦୁଇଟି ମ୍ୟାଚ୍ ଖେଳିବେ । ପୁଣି କିଛି ରେକର୍ଡ଼ ତାଙ୍କ ରେକର୍ଡ଼ ବୁକ୍ରେ ଲେଖାଯିବ ।