ଉତ୍ତରାଖଣ୍ଡର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ରିଷଭ ପନ୍ତ, ବିଧାନସଭାରେ ହେବେ ସମ୍ମାନିତ

ଟିମ୍‌ ଇଣ୍ଡିଆର ଷ୍ଟାର୍ ଓ୍ୱିକେଟକିପର୍ ତଥା ବ୍ୟାଟର ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ରାଜ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହାସହ ପନ୍ତଙ୍କୁ ବିଧାନସଭାରେ ସମ୍ମାନିତ କରାଯିବ । ପୂର୍ବରୁ ଧୋନି ଉତ୍ତରାଖଣ୍ଡ ରାଜ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ରହିସାରିଛନ୍ତି।

ପୁଷ୍କର ଧାମି ଟ୍ୱିଟ୍ କରି କହିଛନ୍ତି ଯେ, ଦେବଭୂମିର ସୁପୁତ୍ର ତଥା ଭାରତୀୟ ଦଳର ପ୍ରତିଭାବାନ ଖେଳାଳି ପନ୍ତଙ୍କୁ ରାଜ୍ୟର ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ କରାଯାଇଛି । ସେ ରାଜ୍ୟର ଯୁବକଙ୍କୁ ଖେଳ ପାଇଁ ପ୍ରୋତ୍ସାହିତ କରିବେ । ଏଥିପାଇଁ ପନ୍ତଙ୍କୁ ଅନେକ ଅନେକ ଶୁଭକାମନା ।

ରିଷଭ ପନ୍ତ ଉତ୍ତରାଖଣ୍ଡରେ ଜନ୍ମ ହୋଇଥିଲେ । କିନ୍ତୁ ପରେ ସେ ଦିଲ୍ଲୀ ଚାଲିଯାଇଥିଲେ । ତାଙ୍କୁ ନିକଟରେ ଏସିଆ କପ୍ ପାଇଁ ସୁଯୋଗ ମିଳିଛି । ୨୪ ବର୍ଷୀୟ ପନ୍ତ ଏବେସୁଦ୍ଧା ୩୧ ଟେଷ୍ଟ, ୨୭ ଦିନିକିଆ ଓ ୫୪ ଟି୨୦ ଖେଳିଛନ୍ତି । ସେ ଟେଷ୍ଟ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିଲେ ବି ଟି୨୦ରେ ରେକର୍ଡ ଭଲ ନାହିଁ । ସେ ଟେଷ୍ଟରେ ୨୧୨୩ ରନ୍ କରିଥିବା ବେଳେ ୧୦ଟି ଅର୍ଦ୍ଧଶତକ ଓ ୫ ଶତକ ଲଗାଇଛନ୍ତି । ଦିନିକିଆ ଓ ଟି୨୦ରେ ସେ ଯଥାକ୍ରମେ ୮୪୦ ଓ ୮୮୩ ରନ୍ କରିଛନ୍ତି ।
ରିଷଭ ପନ୍ତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ର ଅଧିନାୟକ ରହିଥିଲେ। ଦିଲ୍ଲୀ କ୍ୟାପିଟଲ୍ସର ପ୍ଲେ ଅଫ ପାଇଁ କ୍ୱାଲିଫାଏ୍‌ କରିନଥିଲା। କିନ୍ତୁ ୨୦୨୧ରେ ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ପ୍ଲେ ଅଫକୁ ଯାଇଥିଲା।

Leave A Reply

Your email address will not be published.