ଋଷଭ ପନ୍ତଙ୍କ ଶତକ, ତୃତୀୟ ଟେଷ୍ଟ ଜିତିବା ପାଇଁ ଦକ୍ଷିଣ ଆଫ୍ରିକା ଆଗରେ ଭାରତ ରଖିଲା ୨୧୨ ରନ୍‌

କେପ୍‌ ଟାଉନ୍‌ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ଏଠାରେ ଚାଲିଛି ତୃତୀୟ ଟେଷ୍ଟ । ଭାରତୀୟ ଓ୍ଵିକେଟ୍‌ରକ୍ଷକ ଋଷଭ ପନ୍ତ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ଆଜି ଚମତ୍କାର ଶତକ ହାସଲ କରିଛନ୍ତି । ଭାରତୀୟ ଦଳ ୧୯୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ଏହା ସହିତ ୨୧୧ ରନ୍‌ର ଅଗ୍ରଣୀ ନେଇ ଘରୋଇ ଦକ୍ଷିଣ ଆଫ୍ରିକା ଦଳକୁ ୨୧୨ ରନ୍‌ର ବିଜୟଲକ୍ଷ୍ୟ ରହିଛି ।

ଆଜି ଦକ୍ଷିଣ ଆଫ୍ରିକାକୁ ୨୧୦ ରନ୍‌ରେ ଆଉଟ୍‌ କରିବା ପରେ ଭାରତ ପ୍ରଥମ ଇନିଂସ୍‌ରେ ମାତ୍ର ୧୩ ରନ୍‌ରେ ଆଗୁଆ ରହିଥିଲା । ତେବେ ଦ୍ୱିତୀୟ ଇନିଂସ୍‌ରେ ଘରୋଇ ଦଳର ବୋଲର୍‌ଙ୍କ ଆଗରେ ଏହାର ବ୍ୟାଟରମାନେ ଜଣକ ପରେ ଜଣେ ମୁଣ୍ଡ ନୁଆଁଇଥିଲେ । କେବଳ ପ୍ରଥମ ପାଳିର ସର୍ବାଧିକ ସ୍କୋରର୍‌ ଅଧିନାୟକ ବିରାଟ କୋହଲି ୨୯ ରନ୍‌ କରିଥିଲେ । ହେଲେ ଦଳର ସମ୍ମାନ ରଖିଲେ ଋଷଭ ପନ୍ତ । ସେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । କୋହଲିଙ୍କ ସହ ସପ୍ତମ ଓ୍ଵିକେଟ୍‌ରେ ୯୪ ରନ୍‌ ସଂଗ୍ରହ କରିଥିଲେ । କୋହଲି ୧୪୩ ବଲ୍‌ ଖେଳି ମାତ୍ର ୨୯ ରନ୍‌ କରିବା ସହ ପନ୍ତଙ୍କୁ ପୂରା ସାଥ୍‌ ଦେଇଥିଲେ । ଏହା ବୋଧହୁଏ ତାଙ୍କର ସବୁଠାରୁ ସ୍ଲୋ ଟେଷ୍ଟ ଇନିଂସ୍‌ । ତେବେ ତାଙ୍କର ସହଯୋଗ ଦଳକୁ ବେଶ୍‌ ସହାୟକ ହୋଇଥିଲା । କାରଣ କୋହଲି ଆଉଟ୍‌ ହେବା ପରେ ଅନ୍ୟମାନେ ବେଶି ସମୟ ରହି ପାରିନଥିଲେ । ଆଉ ତାରି ଭିତରେ ପନ୍ତ ସଂଘର୍ଷ କରି ଠିକ୍‌ ନିଜର ଶତକ ପୂରଣ କରିବା ସହ ଭାରତକୁ ୨୦୦ ରନ୍‌ ପାର କରାଇ ଦେଇଥିଲେ ।

ପନ୍ତ ୧୩୯ ବଲ୍‌ ଖେଳିବା ସହ ୬ଟି ଚୌକା ଓ ୪ଟି ଛକା ମାରି ୧୦୦ ରନ୍‌ କରିଛନ୍ତି । କୋହଲି ଥଣ୍ଡା ମିଜାଜରେ ଖେଳିବା ବେଳେ ପନ୍ତ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଆକ୍ରମଣ କରି ଦ୍ରୁତ ରନ୍‌ ସଂଗ୍ରହ କରିଥିଲେ ।
ଭାରତର ଦ୍ୱିତୀୟ ଇନିଂସ୍‌ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ରାବଡ଼ା ୩ଟି, ଜେନସେନ ୪ଟି ଏବଂ ଏଙ୍ଗିଡି ୩ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ମ୍ୟାଚ୍‌ର ଆହୁରି ଦୁଇ ଦିନରୁ ଅଧିକ ସମୟ ବାକି ଥିବାରୁ ଫଇସଲା ନିଶ୍ଚିତ ହେବ । ତେବେ ଜିତିବା ପାଇଁ ଏବେ ଭାରତୀୟ ଦଳର ବୋଲର ଓ ଫିଲଡରଙ୍କୁ କଠିନ ସଂଘର୍ଷ କରିବାକୁ ପଡ଼ିବ ।

SCORE-1

SCORE-2

Leave A Reply

Your email address will not be published.