ଆଇପିଏଲ୍ ୨୦୨୫ର ମେଗା ନିଲାମରେ ପ୍ରଥମ ଘଣ୍ଟା ବହୁତ ରୋମାଞ୍ଚକର ହୋଇଛି । ଆଗାମୀ ଆଇପିଏଲ୍ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟି ଟଙ୍କାରେ ଋଷଭ ପନ୍ତଙ୍କୁ ନେଇଛି । ଏଥି ସହିତ ଋଷଭ ପନ୍ତ ଆଇପିଏଲ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ଆରମ୍ଭରେ କିଛି ସମୟ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଶ୍ରେୟସ ଆୟର ସବୁଠୁ ବଡ଼ ମହଙ୍ଗା ଖେଳାଳି ହୋଇଥିଲେ । ତାଙ୍କୁ ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କାରେ କିଣିଥିଲା । ମାତ୍ର ଏହାର କିଛି ସମୟରେ ଏହି ରେକର୍ଡ ଭାଙ୍ଗି ଯାଇଛି । ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି ପାଲଟିଛନ୍ତି।
ଋଷଭ ପନ୍ତଙ୍କ ପରେ ଶ୍ରେୟସ ଆୟର ଦ୍ବିତୀୟ ସର୍ବାଧିକ ମହଙ୍ଗା ଖେଳାଳି ହୋଇଛନ୍ତି । ଶ୍ରେୟସଙ୍କୁ ପଂଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କାରେ କିଣିଛି। ପୂର୍ବରୁ ଆଇପିଏଲ୍ ଇତିହାସରେ ଅଷ୍ଟ୍ରେଲିଆର ଖେଳାଳି ମିଚେଲ ଷ୍ଟାର୍କ ମହଙ୍ଗା ଖେଳାଳି ଥିଲେ। ଆଇପିଏଲ୍-୨୦୪ରେ କୋଲକାତା ନାଇଟ୍ ରାଇର୍ଡସ ଷ୍ଟାର୍କଙ୍କୁ ୨୪.୭୫ କୋଟି ଟଙ୍କାରେ କିଣିଥିଲା । ସେହିପରି ଗତ ଆଇପିଏଲ୍ରେ ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ୍ କମିନ୍ସଙ୍କୁ ସନ୍ରାଇଜର୍ସ ହାଇଦ୍ରାବାଦ୍ ୨୦.୫୦ କୋଟି ଟଙ୍କାରେ କିଣିଥିଲା । ଭାରତୀୟ ଯୁବ ବୋଲର ଅର୍ଶଦୀପ ସିଂହଙ୍କୁ ପଂଜାବ ଗତ ଆଇଏପିଏଲ୍ରେ ୧୮ କୋଟି ଟଙ୍କାରେ ନେଇଥିଲା । ଆଇପିଏଲ୍ ୨୦୨୩ରେ ସାମ୍ କୁରାନ୍ଙ୍କୁ ପଂଜାବ ସୁପର କିଙ୍ଗ୍ସ ୧୮.୯୦ କୋଟି ଟଙ୍କାରେ ନେଇଥିଲା ।
ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟି ଟଙ୍କାର ମୋଟା ଅଙ୍କ ଦେଇ ନିଜ ଦଳରେ ସାମିଲ କରିଛି । ପନ୍ତଙ୍କୁ ଦଳରେ ରଖିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଆରଟିଏମର ଉଦ୍ୟମ କରିଥିଲା । ହେଲେ ଏଲଏସଜି ତୁରନ୍ତ ଦର ବଢାଇ ଦେଇଥିଲା । ଆଉ ଦିଲ୍ଲୀ ହାତ ଟେକି ଦେଇଥିଲା । ଏହି ପରି ଲକ୍ଷ୍ନୌ ଭାରତୀୟ କ୍ରିକେଟ୍ ଦଳର ତାରକା ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତଙ୍କୁ ୨୭ କୋଟି ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି ।