ଆଇସିସି ଚେୟାରମ୍ୟାନ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ୩୦ ନଭେମ୍ବରରେ ଶେଷ ହେବ । ତେଣୁ ବିସିସିଆଇ ସଚିବ ଜୟ ଶାହ ଆଇସିସି ଚେୟାରମ୍ୟାନ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଆଉ ଯଦି ବିସିସିଆଇ ସଚିବ ଜୟ ଶାହ ଆଇସିସି ଚେୟାରମ୍ୟାନ ହୁଅନ୍ତି, ତେବେ ବିସିସିଆଇ ସଚିବ ପଦ ଖାଲି ପଡିବ । ଆଉ ବିସିସିଆଇ ସଚିବ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି ।
ରିପୋର୍ଟ ମୁତାବକ, ଯଦି ଜୟ ଶାହ ଆଇସିସି ଚେୟାରମ୍ୟାନ ହୁଅନ୍ତି, ତେବେ ଡିଡିସିଏର ଅଧ୍ୟକ୍ଷ ରୋହନ ଜେଟଲୀ ବିସିସିଆଇର ନୂଆ ସଚିବ ହୋଇପାରନ୍ତି । ରୋହନ ଜେଟଲୀ କିଛିବର୍ଷ ହେଲାଣି ଦିଲ୍ଲୀ ଏବଂ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ ସହିତ ଜଡିତ ରହିଛନ୍ତି । ରୋହନ ଜେଟଲୀ ପୂର୍ବ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗୀୟ ଅରୁଣ ଜେଟଲୀଙ୍କ ପୁଅ । ତେଣୁ ବିସିସିଆଇ ସଚିବ ତାଲିକାରେ ରୋହନଙ୍କ ନାମକୁ ନେଇ ଚର୍ଚ୍ଚା ରହିଛି ।
ରୋହନ ଜେଟଲୀ ଜଣେ ଅନୁଭବୀ ସ୍ପୋଟର୍ସ ଆଡମିନିଷ୍ଟ୍ରେଟର । ସେ ଦୁଇଥର ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ରହିସାରିଛନ୍ତି । ତାଙ୍କ କାର୍ଯ୍ୟକାଳରେ ଦିଲ୍ଲୀରେ ବିଶ୍ୱକପର ୫ଟି ମ୍ୟାଚ ଖେଳାଯାଇଛି । ଏହାଛଡା ଦିଲ୍ଲୀ ପ୍ରିମିଅର ଲିଗ ମଧ୍ୟ ଆରମ୍ଭ ହୋଇଛି । ତେବେ ବିସିସିଆଇ ରୋହନଙ୍କ ନାମକୁ ନେଇ ସହମତି ପ୍ରକାଶ କରିଛି ।
ଆଇସିସିର ବର୍ତ୍ତମାନ ଚେୟାରମ୍ୟାନ ଗ୍ରେଗ୍ ବାର୍କଲେଙ୍କ କାର୍ଯ୍ୟକାଳ ୩୦ ନଭେମ୍ବରରେ ଶେଷ ହେବାକୁ ଯାଉଛି । ତୃତୀୟ ଟର୍ମ ରେସରୁ ଗ୍ରେଗ ବାର୍କଲେ ଓହରିବା ପରେ ଜୟଙ୍କ ଦାବିଦାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଇସିସି ନିୟମ ଅନୁଯାୟୀ ଆଇସିସି ଅଧ୍ୟକ୍ଷ ପାଇଁ ୧୬ଟି ଭୋଟ ଥାଏ । ବିଜୟୀ ହେବାକୁ ଆବଶ୍ୟକ ୯ ଟି ଭୋଟ । ଅର୍ଥାତ ୫୧ ପ୍ରତିଶତ ଭୋଟ ଆବଶ୍ୟକ । ନୂଆ ଅଧ୍ୟକ୍ଷ ଭାବେ ଜୟ ଶାହ ନିର୍ବାଚିତ ହେଲେ ଡିସେମ୍ବରରୁ ଆରମ୍ଭ ହେବ କାର୍ଯ୍ୟକାଳ । ୨୭ ଅଗଷ୍ଟରେ ଆଗାମୀ ଅଧ୍ୟକ୍ଷ ପାଇଁ ନାମାଙ୍କନ ପ୍ରସ୍ତୁତ ହୋଇସାରିଛି । ଯଦି ଜଣେରୁ ଅଧିକ ଆବେଦନ କରାଯାଏ, ତେବେ ନିର୍ବାଚନ ହେବ । ଆଉ ନୂଆ ଚେୟାରମ୍ୟାନ କାର୍ଯ୍ୟକାଳ ଡିସେମ୍ବର ୨୦୨୪ରୁ ଆରମ୍ଭ ହେବ ।
ତେବେ ଜୟ ଶାହ ଆଇସିସି ବୋର୍ଡରେ ସବୁଠାରୁ ପ୍ରଭାବଶାଳୀ ଚେହେରା ଭାବେ ଜଣାଶୁଣା । ତେବେ ଭୋଟିଂ କରିବାକୁ ଥିବା ୧୬ ସଦସ୍ୟଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି ।