ରୋହିତ ଶର୍ମା ଖୁବ୍‌ ଜଲ୍‌ଦି ସମ୍ଭାଳି ପାରନ୍ତି ଟି-୨୦ ଓ ଦିନିକିଆ କମାଣ୍ଡର ଭାର, ଚୟନ ସମିତି ବୈଠକରେ ହେବ ନିଷ୍ପତ୍ତି; ଇସ୍ତଫା ଦେବେ ବିରାଟ

ଟି-୨୦ ବିଶ୍ୱ କପ୍‌ ପରେ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ। ସୂଚନା ମୁତାବକ, ବିରାଟ କୋହଲି ଟି-୨୦ ସହିତ ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇ ପାରନ୍ତି। ବର୍ତ୍ତମାନର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଟି-୨୦ ସହିତ ଦିନିକିଆ ଅଧିନାୟକ ଭାର ମଧ୍ୟ ହସ୍ତାନ୍ତର କରାଯାଇ ପାରେ। ଏହାକୁ ନେଇ ଖୁବ୍‌ ଜଲ୍‌ଦି ଚୟନ ସମିତି ବୈଠକ ଅନୁଷ୍ଠିତ ହେବ। ଏକ ସ୍ପୋର୍ଟସ୍‌ େଓ୍ଵବ୍‌ସାଇଟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂତ୍ରରୁ କହିଛି ଯେ ରୋହିତ ଶର୍ମାଙ୍କ ନାଁରେ ମୋହର ମରାଯିବା ନେଇ ଏକ ପ୍ରକାର ସ୍ଥିର କରାଯାଇଛି। ରିପୋର୍ଟ ମୁତାବକ, ବିରାଟ କୋହଲି ଟେଷ୍ଟ ଟିମ୍‌ର ଅଧିନାୟକ ରହିବେ। ବୋର୍ଡ ଅଧିକାରୀମାନେ କହିଛନ୍ତି କି, ବିରାଟ ପୂର୍ବରୁ ହିଁ ଟି-୨୦ ବିଶ୍ୱ କପ୍‌ ପରେ ଟି-୨୦ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରି ସାରିଛନ୍ତି। ସେ କାମ ବୋଝର କାରଣ ଦର୍ଶାଇ ନିଜର ଇସ୍ତଫା ପଠାଇ ଥିଲେ। ଯଦିଓ ଜଣେ ବ୍ୟାଟ୍ସମ୍ୟାନ ହିସାବରେ ବିରାଟ ଟି-୨୦ କ୍ରିକେଟ୍‌ ଖେଳିବେ।

ଟି-୨୦ ବିଶ୍ୱ କପ୍‌ ପରେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ଖେଳିବ। ଦୁଇଟି ଟିମ୍‌ ମଧ୍ୟରେ ତିନୋଟି ଟି-୨୦ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍‌ ସିରିଜ୍‌ ଖେଳାଯିବ। ଯଦିଓ ଏହି ସିରିଜ୍‌ରେ ରୋହିତ ଓ ବିରାଟଙ୍କ ସମେତ ଅନ୍ୟ କେତେଜଣ ବରିଷ୍ଠ ଖେଳାଳିଙ୍କୁ ବି ଆରାମ ଦିଆଯାଇ ପାରେ। ଏଥି ସହିତ କେଏଲ୍‌ ରାହୁଲଙ୍କୁ ଟି-୨୦ ସିରିଜ୍‌ ପାଇଁ ଅଧିନାୟକ ଭାର ଦିଆଯାଇ ପାରେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ନଭେମ୍ବର ୧୭ରେ ଜୟପୁରଠାରେ, ଦ୍ୱିତୀୟ ଟି-୨୦ ନଭେମ୍ବର ୧୯ରେ ରାଞ୍ଚିରେ ଏବଂ ତୃତୀୟ ଟି-୨୦ ନଭେମ୍ବର ୨୧ରେ କୋଲକାତାରେ ଖେଳାଯିବ। ଏହାପରେ ୨୫ରୁ ୨୯ ନଭେମ୍ବର ପର୍ଯ୍ୟନ୍ତ କାନପୁରରେ ପ୍ରଥମ ଟେଷ୍ଟ ଏବଂ ୩ରୁ ୭ ଡିସେମ୍ବର ପର୍ଯ୍ୟନ୍ତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ।

ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱ କପ୍‌ ଆୟୋଜନ ହେବାର ଅଛି। ଏହାପରେ ୨୦୨୩ରେ ଭାରତରେ ଦିନିକିଆ ବିଶ୍ୱ କପ୍‌ ଖେଳାଯିବ। ବୋର୍ଡ ଏବେଠାରୁ ହିଁ ଏହାର ପ୍ରସ୍ତୁତିରେ ଲାଗି ପଡ଼ିବ। ମୁଖ୍ୟ କୋଚ୍‌ ହିସାବରେ ରାହୁଲ ଦ୍ରାବିଡ୍‌ଙ୍କ ନାଁରେ ମୋହର ବାଜିବା ନିଶ୍ଚିତ। ଏମିତିରେ ଆଗାମୀ ବିଶ୍ୱ କପ୍‌ ପୂର୍ବରୁ ଦ୍ରାବିଡ୍‌ଙ୍କ ତତ୍ତ୍ୱାବଧାନରେ ରୋହିତଙ୍କୁ ନିଜ ଟିମ୍‌ ପ୍ରସ୍ତୁତ କରିବାରେ ପୂରା ମଉକା ମିଳିଯିବ। ୨୦୧୭ ପରେ ପ୍ରଥମ ଥର ଟିମ୍‌ ଇଣ୍ଡିଆରେ ଦୁଇଜଣ ଅଧିନାୟକ ରହିବେ। ଏଥି ପୂର୍ବରୁ ୨୦୧୪ ଏବଂ ୨୦୧୭ରେ ଭାରତୀୟ ଟିମ୍‌ରେ ଦୁଇଜଣ କ୍ୟାପ୍‌ଟେନ ଥିଲେ। ମହେନ୍ଦ୍ର ସିଂ ଧୋନୀ ଟି-୨୦ ଓ ଦିନିକିଆ ଏବଂ ବିରାଟ କୋହଲି ଟେଷ୍ଟ କ୍ୟାପ୍‌ଟେନ ଥିଲେ। ସେପଟେ ଅଧିନାୟକ ରୂପେ ରୋହିତଙ୍କ ରେକର୍ଡ ବଢ଼ିଆ ରହିଛି। ସେ ୧୯ ଟି-୨୦ ମ୍ୟାଚ୍‌ରେ ଭାରତର ଅଧିନାୟକ ରହିଛନ୍ତି ଏବଂ ୧୫ ମ୍ୟାଚ୍‌ ଜିତିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.