ଶ୍ରୀଲଙ୍କା ବିପକ୍ଷ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଓ ରୋହିତ ଶର୍ମା ହେବେ ଦିନିକିଆ ଦଳର ଅଧିନାୟକ

ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷିତ । ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର କମାଣ ସମ୍ଭାଳିବେ । ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ଖେଳିବେ ନାହିଁ ରୋହିତ ଶର୍ମା । ତାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ । ସୂର୍ଯ୍ୟ କୁମାରଙ୍କୁ ଟି-୨୦ ଟିମର ଉପ ଅଧିନାୟକ ଦାୟିତ୍ୱ ମଧ୍ୟ ମିଳିଛି । କେଏଲ ରାହୁଲ ଦିନିକିଆ ଦଳରେ ଅଛନ୍ତି । କିନ୍ତୁ ଟି-୨୦ରୁ ତାଙ୍କୁ ବାଦ ଦିଆଯାଇଛି । ବିରାଟ କୋହଲି ମଧ୍ୟ କେବଳ ଦିନିକିଆ ସିରିଜ ଖେଳିବେ । ଟି-୨୦ରେ ନୂଆ ମୁହଁ ଭାବେ ଦ୍ରୁତ ବୋଲର ଶିବମ ମାଭି ଓ ମୁକେଶ କୁମାରଙ୍କୁ ସୁଯୋଗ ମିଳିଛି । ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ଋତୁରାଜ ଗାଏକଓ୍ଵାର୍ଡଙ୍କ ସମେତ ରାହୁଳ ତ୍ରିପାଠୀ ଓ ସଞ୍ଜୁ ସାମସନଙ୍କୁ ଟି-୨୦ରେ ସ୍ଥାନ ମିଳିଛି । ସାମସନଙ୍କ ସହ ଇଶାନ କିଷନ ଓ୍ଵିକେଟ କିପର ଭାବେ ଟିମରେ ଅଛନ୍ତି ।

ଅକ୍ଷର ପଟେଲ, ସୂର୍ଯ୍ୟ କୁମାର ଯାଦବ, ଉମ୍ରାନ ମଲିକ ଓ ଅର୍ଶଦୀପ ସିଂହ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ଦଳରେ ଅଛନ୍ତି । ଉଭୟ ଦିନିକିଆ ଓ ଟି-୨୦ ସ୍କାର୍ଡରେ ଋଷଭ ପନ୍ତ ନାହାନ୍ତି । ଦିନିକିଆରେ ଈଶାନଙ୍କ ସହ କେଏଲ ରାହୁଲ ୱିକେଟ କିପର ଭାବେ ସ୍କାର୍ଡରେ ସ୍ଥାନ ପାଇଛନ୍ତି । ଭାରତ ଗସ୍ତରେ ଶ୍ରୀଲଙ୍କା ୩ଟି ଟି-୨୦ ଓ ୩ଟି ଦିନିକିଆ ଖେଳିବ । ଜାନୁଆରୀ ୩, ୫ ଓ ୭ରେ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ ଖେଳିବେ । ଏହାପରେ ୩ଟିକିଆ ଦିନିକିଆ ସିରିଜ ଜାନୁଆରୀ ୧୦ରୁ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.