ରଣଜୀ ଟ୍ରଫିରେ ବି ଫେଲ୍ ମାରିଲେ ରୋହିତ ଶର୍ମା, ଯଶସ୍ବୀ ଜୟସୱାଲ ବି ଫ୍ଲପ୍

ଟିମ ଇଣ୍ଡିଆର ଟେଷ୍ଟ ଏବଂ ଦିନିକିଆ ଟିମର ଅଧିନାୟକ ରୋହିତ ଶର୍ମା ୧୦ ବର୍ଷ ପରେ ରଣଜୀ ଟ୍ରଫିକୁ ଫେରିଛନ୍ତି । ମୁମ୍ବାଇ ଟିମ ପକ୍ଷରୁ ରୋହିତ ଖେଳୁଛନ୍ତି । ମୁମ୍ବାଇର ବିକେସି ମଇଦାନରେ ଜମ୍ମୁ କଶ୍ମୀର ବିପକ୍ଷରେ ଖେଳିବାକୁ ଓହ୍ଲାଇଥିଲେ ରୋହିତ ଶର୍ମା । ଏହି ମ୍ୟାଚରେ ସମସ୍ତଙ୍କ ନଜର ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସୱାଲଙ୍କ ବ୍ୟାଟିଂ ଉପରେ ରହିଥିଲା ।

ରଣଜୀ ଟ୍ରଫିରେ ମୁମ୍ବାଇ ଏବଂ ଜମ୍ମୁ କଶ୍ମୀର ମଧ୍ୟରେ ଆରମ୍ଭ ହୋଇଥିବା ମ୍ୟାଚରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସୱାଲ ଦୁହେଁ ଫ୍ଲପ୍ ରହିଥିଲେ । ଯଶସ୍ବୀ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ରୋହିତ କେବଳ ୩ ରନ୍ କରି ଆଉଟ୍ ହୋଇଥିଲେ । ରୋହିତ ପ୍ରାୟ ୯ ବର୍ଷ ୩ ମାସ ପରେ ରଣଜୀ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲେ ।

ଗତ କିଛି ମାସ ହେଲାଣି ୩୭ ବର୍ଷୀୟ ରୋହିତ କିଛି ବଡ଼ ଇନିଂସ ଖେଳିନାହାନ୍ତି । ଘରୋଇ ସିରିଜରେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଟୁରରେ ଟେଷ୍ଟ ସିରିଜ ହାରିବା ପରେ ଆଲୋଚକଙ୍କ ଟାର୍ଗେଟ ହୋଇଥିଲେ । ରୋହିତ ଗତ ଅଷ୍ଟ୍ରେଲିଆ ଟୁରରେ ୩ଟି ଟେଷ୍ଟରେ ୫ଟି ଇନିଂସରେ ମାତ୍ର ୩୧ ରନ୍ କରିଥିଲେ ।

୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ରୋହିତ ଶର୍ମା ଅଧିନାୟକ ରହିଥିବା ବେଳେ ଉପ ଅଧିନାୟକ ଭାବେ ଶୁବମନ ଗିଲଙ୍କୁ ଦାୟିତ୍ବ ମିଳିଛି । ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହୋଇ ୯ ମାର୍ଚ୍ଚ ପର୍ଯ୍ୟନ୍ତ ହାଇବ୍ରିଡ ମଡେଲରେ ଖେଳାଯିବ । ୨୦ ଫେବୃଆରୀରୁ ଭାରତର ମ୍ୟାଚ୍ ରହିଛି । ଗ୍ରୁପ-ଏରେ ଟିମ ଇଣ୍ଡିଆ ସହିତ ବାଂଲାଦେଶ, ପାକିସ୍ତାନ, ନ୍ୟୁଜିଲାଣ୍ଡ ରହିଛି ।

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଟିମ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଂଶିଟନ ସୁନ୍ଦର, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ଯଶସ୍ବୀ ଜୟସୱାଲ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା ।

ସୂଚନାଯୋଗ୍ୟ, ରୋହିତ ଶର୍ମା ଶେଷ ଥର ପାଇଁ ୨୦୧୫ରେ ରଣଜୀ କ୍ରିକେଟ ଖେଳିଥିଲେ । ସେତେବେଳେ ରୋହିତ ୟୁପି ବିପକ୍ଷରେ ୱାଙ୍ଖଡେ ଷ୍ଟାଡିୟମରେ ୧୧୩ ରନ ଇନିଂସ ଖେଳିଥିଲେ । ରୋହିତ ୧୨୮ ପ୍ରଥମ ଶ୍ରେଣୀ କ୍ରିକେଟରେ ୯୨୯୦ ରନ୍ କରିଛନ୍ତି । ରୋହିତଙ୍କ ନାମରେ ୩୦୯ ଅପରାଜିତ ସର୍ବାଧିକ ସ୍କୋର ରହିଛି । ଏହା ସହିତ ବୋଲିଂ କରି ପ୍ରଥମ ଶ୍ରେଣୀ କ୍ରିକେଟରେ ୨୪ ୱିକେଟ ନେଇଛନ୍ତି ।

Also Read : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା : ରୋହିତ ଅଧିନାୟକ, ଗିଲ୍ ଉପ ଅଧିନାୟକ, ଫେରିଲେ ଶାମି

You might also like