କାନ୍ଦୁଥିବା କୁନି ଫ୍ୟାନ୍‌ ଗାଲକୁ ଚିପି ରୋହିତ ହସାଇଦେଲେ, ଭିଡିଓ ଭାଇରଲ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ଦିନିକଆ ମ୍ୟାଚ୍‌ ଆରମ୍ଭ ହେଉଛି। ଗୌହ୍ଵାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି। ପ୍ରଥମ ଦିନିକିଆରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭାଇରଲ ହେଉଥିବା ଭିଡିଓରେ ରୋହିତ ଜଣେ କୁନି ଫ୍ୟାନ୍‌ ସହିତ କଥାବାର୍ତ୍ତା ହେଉଛନ୍ତି ଆଉ ଅଟୋଗ୍ରାଫ ମଧ୍ୟ ଦେଉଛନ୍ତି ।

ପ୍ରଥମ ଦିନିକିଆ ପାଇଁ ଅଭ୍ୟାସ କରୁଥିବା ସମୟରେ ରୋହିତ ଶର୍ମାଙ୍କୁ ଦେଖିବା ପାଇଁ କୁନି ଫ୍ୟାନ୍‌ ଜଣକ ପଡିଆ ବାହାରେ ଅପେକ୍ଷା କରିଥିଲେ । ଆଉ ଫ୍ୟାନ୍‌ ଜଣକ ରୋହିତଙ୍କୁ ଦେଖିବା ପରେ ଭାବୁକ ହୋଇଯାଇ କାନ୍ଦି ପକାଇଥିଲେ । ରୋହିତ କୁନି ଫ୍ୟାନ୍‌ କାନ୍ଦୁଥିବା ଦେଖି ତାଙ୍କୁ ଦେଖାକରିବାକୁ ପହଞ୍ଚିଥିଲେ । ରୋହିତ କୁନି ପିଲାଟି ସହିତ କଥା ହୋଇଥିଲେ। ଉତ୍ସାହିତ କରିଥିଲେ । ମନୋବଳ ବଢାଇଥିଲେ । ଆଉ କିଛି ସମୟ ମଧ୍ୟରେ କୁନି ପିଲାଟି ହସିବାକୁ ଲାଗିଥିଲା ।

ଭିଡିଓରେ ଦେଖିବାକୁ ମିଳିଛି, ରୋହିତ କୁନି ଫ୍ୟାନଙ୍କୁ କହୁଛନ୍ତି, ‘ କାନ୍ଦୁଛ କ’ଣ ପାଇଁ ? ତମେ ତ ଛୋଟ ପିଲା ’। ଏମିତି କହିବା ପରେ ରୋହିତ ପିଲାଟିର ଗାଲକୁ ଚିପି ମୋଟା ମୋଟା ଗାଲ ବୋଲି କହୁଛନ୍ତି। ରୋହିତ ଏହାପରେ ପିଲାଟି ସହିତ ଫଟୋ ଉଠାଉଛନ୍ତି। ରୋହିତଙ୍କ ଏପରି କାମ ଦେଖି ପିଲାଟି ଧୀରେ ଧୀରେ ହସିବା ଆରମ୍ଭ କରିଦେଉଛି ।

ଏହା ପୂର୍ବରୁ ରୋହିତ ମ୍ୟାଚକୁ ନେଇ ଗଣମାଧ୍ୟମ ସହିତ ପ୍ରେସ କନଫରେନ୍ସ କରି କିଛି ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ମ୍ୟାଚ୍‌ ଏବଂ ସିରିଜ ପାଇଁ ରଣନୀତି ସହିତ ନିଜ ଟି-୨୦ କ୍ୟାରିଅରକୁ ନେଇ ଜବାବ ଦେଇଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦କୁ ୨-୧ରେ ସିରିଜ କବଜା କରିଛି । ଏବେ ଦିନିକିଆ ଉପରେ କ୍ରୀଡାପ୍ରେମୀଙ୍କ ନଜର । ଦିନିକିଆ ଦଳର ଅଧିନାୟକ ଭାର ରୋହିତ ଶର୍ମାଙ୍କ ଉପରେ ରହିଛି । ଗୌହାଟୀରେ ଖେଳାଯିବ ପ୍ରଥମ ଦିନିକିଆ । ବାଂଲାଦେଶ ବିପକ୍ଷ ସିରିଜରେ ଆହତ କାରଣରୁ ସେ ଟି-୨୦ ଶୃଙ୍ଖଳା ଖେଳିପାରିନଥିଲେ । ଏବେ ସେ ଫିଟ୍‌ ହୋଇ ପଡିଆକୁ ଓହ୍ଲାଉଛନ୍ତି । ବିରାଟ କୋହଲି ମଧ୍ୟ ଟିମକୁ ଫେରିଛନ୍ତି । ଟିମ୍‌ରେ ଅଛନ୍ତି ଲୋକେଶ ରାହୁଲ, ଶୁମବନ ଗିଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର ଭଳି ଖେଳାଳି ।  ଦାସୁନ ଶାନକାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଶ୍ରୀଲଙ୍କା ଟିମ୍‌ ।  ଜସପ୍ରୀତ ବୁମରା  ଟିମରେ ସ୍ଥାନ ପାଇବା ପାଇଁ ଫ୍ୟାନ୍ସ ଖୁସି ହୋଇଯାଇଥିଲେ । ହେଲେ ଏବେ ତାଙ୍କ ବାଦ୍‌ ପଡିବା ନେଇ ଫ୍ୟାନ୍ସ ନିରାଶ ରହିଛନ୍ତି । ଗତ ସପ୍ତାହରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମରେ ବୁମରାଙ୍କୁ ସ୍ଥାନ ମିଳିଥିଲା । ହେଲେ ଏବେ ତାଙ୍କୁ ଟିମରୁ ବାଦ୍‌ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.