ରୋହିତ ଶର୍ମାଙ୍କ ସୁରକ୍ଷାରେ ତ୍ରୁଟି, ରଣଜୀ ମ୍ୟାଚ୍ ବେଳେ ରୋହିତଙ୍କ ନିକଟରେ ଦୌଡି ଆସିଲେ ଯୁବକ

ମୁମ୍ବାଇ ଏବଂ ଜମ୍ମୁ ମଧ୍ୟରେ ରଣଜୀ ଟ୍ରଫି ୨୦୨୫ର ଏକ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଜମ୍ମୁ ମୁମ୍ବାଇକୁ ହରାଇ ଦେଇଥିଲା । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ପାଇଁ ମ୍ୟାଚ ଖେଳୁଥିଲେ । କିନ୍ତୁ ଏହି ମ୍ୟାଚରେ କିଛି ଖାସ୍ କରିପାରିନଥିଲେ । ହେଲେ ଏହି ମ୍ୟାଚରେ ରୋହିତଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା । ମ୍ୟାଚ୍ ଚାଲିଥିବା ବେଳେ ଜଣେ ଯୁବକ ପଡିଆରେ ପଶି ରୋହିତଙ୍କ ପାଖରେ ପହଞ୍ଚିଯାଇଥିଲା । ଏହାପରେ ତୁରନ୍ତ ଯୁବକକୁ ପଡିଆରୁ ବାହାର କରାଯାଇଥିଲା ।
ଖବର ମୁତାବକ, ଜମ୍ମୁ କଶ୍ମୀର ଟିମ୍ ବ୍ୟାଟିଂ କରୁଥିବା ବେଳେ ମୁମ୍ବାଇ ଟିମ୍ ବ୍ୟାଟିଂ କରୁଥିଲା । ରୋହିତ ଫିଲ୍ଡିଂ କରୁଥିବା ସମୟରେ ଜଣେ ଫ୍ୟାନ୍ ପଡିଆ ମଝିକୁ ଦୌଡି ଆସି ରୋହିତ ପାଖରେ ପହଞ୍ଚିଯାଇଥିଲେ । ଏହା ଦେଖି ସୁରକ୍ଷାକର୍ମୀ ତୁରନ୍ତ ଦୌଡି ଆସିଥିଲେ । ହେଲେ ଏହି ସମୟ ମଧ୍ୟରେ ଫ୍ୟାନ୍ ଜଣକ ରୋହିତଙ୍କ ସହିତ ହାତ ମିଶାଇ ବାହାରକୁ ଚାଲିଯାଇଥିଲେ । ତେବେ ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ମଇଦାନକୁ ଫ୍ୟାନ୍ ଦୌଡି ଆସି ଖେଳାଳିଙ୍କ ନିକଟରେ ପହଞ୍ଚିଛନ୍ତି ।
ମୁମ୍ବାଇ ପାଇଁ ରୋହିତ ଓପନିଂ କରିଥିଲେ । ହେଲେ ମାତ୍ର ୩ ରନ କରି ଆଉଟ୍ ହୋଇଯାଇଥିଲେ । ସେହିପରି ଦ୍ବିତୀୟ ଇନିଂସରେ ୨୮ ରନ କରି ଆଉଟ୍ ହୋଇଥିଲେ । କିନ୍ତୁ କିଛି ଖାସ୍ କରିପାରିନଥିଲେ ।
୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ରୋହିତ ଶର୍ମା ଅଧିନାୟକ ରହିଥିବା ବେଳେ ଉପ ଅଧିନାୟକ ଭାବେ ଶୁବମନ ଗିଲଙ୍କୁ ଦାୟିତ୍ବ ମିଳିଛି । ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହୋଇ ୯ ମାର୍ଚ୍ଚ ପର୍ଯ୍ୟନ୍ତ ହାଇବ୍ରିଡ ମଡେଲରେ ଖେଳାଯିବ । ୨୦ ଫେବୃଆରୀରୁ ଭାରତର ମ୍ୟାଚ୍ ରହିଛି । ଗ୍ରୁପ-ଏରେ ଟିମ ଇଣ୍ଡିଆ ସହିତ ବାଂଲାଦେଶ, ପାକିସ୍ତାନ, ନ୍ୟୁଜିଲାଣ୍ଡ ରହିଛି ।
ସୂଚନାଯୋଗ୍ୟ, ରୋହିତ ଶର୍ମା ଶେଷ ଥର ପାଇଁ ୨୦୧୫ରେ ରଣଜୀ କ୍ରିକେଟ ଖେଳିଥିଲେ । ସେତେବେଳେ ରୋହିତ ୟୁପି ବିପକ୍ଷରେ ୱାଙ୍ଖଡେ ଷ୍ଟାଡିୟମରେ ୧୧୩ ରନ ଇନିଂସ ଖେଳିଥିଲେ । ରୋହିତ ୧୨୮ ପ୍ରଥମ ଶ୍ରେଣୀ କ୍ରିକେଟରେ ୯୨୯୦ ରନ୍ କରିଛନ୍ତି । ରୋହିତଙ୍କ ନାମରେ ୩୦୯ ଅପରାଜିତ ସର୍ବାଧିକ ସ୍କୋର ରହିଛି । ଏହା ସହିତ ବୋଲିଂ କରି ପ୍ରଥମ ଶ୍ରେଣୀ କ୍ରିକେଟରେ ୨୪ ୱିକେଟ ନେଇଛନ୍ତି ।
Also Read : ରଣଜୀ ଟ୍ରଫିରେ ବି ଫେଲ୍ ମାରିଲେ ରୋହିତ ଶର୍ମା, ଯଶସ୍ବୀ ଜୟସୱାଲ ବି ଫ୍ଲପ୍