ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍‌ ପଡିବେ ରୋହିତ ଶର୍ମା ! ଦାୟିତ୍ୱ ନେବେ କେଏଲ ରାହୁଲ

ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ ଭାରତ ଟେଷ୍ଟ ସିରିଜ ଖେଳିବ। ଟେଷ୍ଟ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି । ଟେଷ୍ଟ ସିରିଜରୁ ବାଦ୍‌ ପଡିପାରନ୍ତି ରୋହିତ ଶର୍ମା ! ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ଉପ ଅଧିନାୟକ କେଏଲ ରାହୁଲଙ୍କୁ ଦିଆଯିବ। ବିସିସିଆଇ କିନ୍ତୁ ଏପର୍ଯ୍ୟନ୍ତ ରୋହିତ ଶର୍ମାଙ୍କ ରିପ୍ଲେସମେଣ୍ଟ ବିଷୟରେ କିଛି ଘୋଷଣା କରିନାହିଁ ।

ଡିସେମ୍ବର ୭ ରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ରୋହିତ ଶର୍ମାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହା ପରେ ରୋହିତ ଶର୍ମାଙ୍କୁ ସ୍କାନ ପାଇଁ ପଠାଯାଇଥିଲା। ରୋହିତ ଶର୍ମାଙ୍କ ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଛି । ଆହତ ଆଙ୍ଗୁଠିରେ ରୋହିତ ଶର୍ମା ମ୍ୟାଚ୍‌ ଖେଳିବାକୁ ଆସିଥିଲେ।

ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ ସ୍ପଷ୍ଟ କରିସାରିଛନ୍ତି ଯେ ରୋହିତ ଶର୍ମା ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଅଂଶ ହୋଇପାରିବେ ନାହିଁ। ତେବେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର କମାଣ୍ଡ କେ.ଏଲ୍ ରାହୁଲଙ୍କ ହାତରେ ରହିବ। ଆଗାମୀ ଦିନରେ କିମ୍ବା ଦୁଇ ଦିନରେ ରୋହିତ ଶର୍ମାଙ୍କ ସ୍ଥାନ ନେଇ ବିସିସିଆଇ ଘୋଷଣା କରିପାରେ ।

ଏହାଛଡା ବିସିସିଆଇ ଆଉ ଦୁଇଟି ରିପ୍ଲେସମେଣ୍ଟ ଘୋଷଣା କରିପାରେ। ବାଂଲାଦେଶ ପାଇଁ ପ୍ରଥମେ ଯେଉଁ ଟିମ୍‌ ଘୋଷଣା କରାଯାଇଥିଲା, ସେଥିରେ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମିଙ୍କ ନାମ ସାମିଲ ଥିଲା । କିନ୍ତୁ ଏମାନେ ଖେଳିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୋକ୍ତି ହୋଇନାହିଁ । ସାମିଙ୍କ ସ୍ଥାନରେ ଉମ୍ରାନ ମଲ୍ଲିକ ଏବଂ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସୌରଭ କୁମାରଙ୍କୁ ଟିମରେ ଜାଗା ଦିଆଯାଇପାରେ ।

ସୂଚନାଯୋଗ୍ୟ, ଫିଲ୍ଡିଂ କରୁଥିବା ସମୟରେ ଦ୍ୱିତୀୟ ସ୍ଲିପରେ ରୋହିତ ମହମ୍ମଦ ସିରାଜଙ୍କ ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ଅନାମୁଲ ହକଙ୍କ କ୍ୟାଚ୍ ଛାଡିଥିଲେ ଏବଂ ଏହି ସମୟ ମଧ୍ୟରେ ତାଙ୍କ ବାମ ହାତର ବୁଢା ଆଙ୍ଗୁଠିରୁ ରକ୍ତ ବାହାରିବା ଆରମ୍ଭ କରିଥିଲା । ଆଘାତ କାରଣରୁ ଅଧିନାୟକ ରୋହିତ ଶର୍ମା ପଡ଼ିଆରୁ ବାହାରି ହସପିଟାଲ ପହଞ୍ଚିଥିଲେ । ଆହତ ସମସ୍ୟା ଯୋଗୁଁ ରୋହିତ ଓପନିଂ ପାଇଁ ଆସିନଥିଲେ। ହେଲେ ଯେତେବେଳେ ଦଳ ୭ ୱିକେଟ୍ ହରାଇ ସାରିଥିଲା, ସେତେବେଳେ ଆହତ ହିଟ୍ ମ୍ୟାନ୍ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇ ଆସିଥିଲେ, ଆଘାତ ପାଇଥିବା ଆଙ୍ଗୁଠିରେ ରୋହିତ ବାଂଲାଦେଶୀ ବୋଲରଙ୍କ ଜୋରଦାର ପ୍ରହାର କରିଥିଲେ । ତେବେ ରୋହିତଙ୍କ ପ୍ରଦର୍ଶନ ପାଇଁ ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସା କରାଯାଉଛି । ରୋହିତ ଶର୍ମା ୨୮ ବଲରୁ ୫୧ ରନର ଅପରାଜିତ ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୩ ଚୌକା ଓ ୫ ଛକା ମାରିଥିଲେ, ତାଙ୍କ ବ୍ୟାଟିଂ ଏବଂ ଉତ୍ସାହ ପ୍ରଶଂସକଙ୍କ ହୃଦୟ ଜିତିଥିଲା ।

Leave A Reply

Your email address will not be published.