ଆଇପିଏଲ୍ : କୋହଲି ଓ ସଲ୍ଟଙ୍କ ଅର୍ଦ୍ଧଶତକ ବଳରେ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ

ଜୟପୁର : ରୟାଲ୍ସ ଲଢ଼େଇରେ ବାଜି ମାରିଲା କୋହଲିଙ୍କ ଟିମ୍ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଜି ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି । ଆଇପିଏଲର ଏହି ମ୍ୟାଚରେ ଆଜି ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୪ ୱିକେଟରେ ୧୭୩ ରନ୍ ସ୍କୋର କରିଥିଲା । ଯୁବ ଓପ୍ନର ଯଶସ୍ବୀ ଜୟସ୍ବାଲ ୪୭ ବଲରୁ ୭୫ ରନ୍ (୧୦ ଚୌକା ଓ ୨ ଛକା), ରିୟାନ ପରାଗ ୩୦, ଧ୍ରୁବ ଜୁରେଲ ୩୫ ରନ୍ କରିଥିଲେ ।

ପରେ ବେଙ୍ଗାଲୁରୁ ଦଳ ୧୭.୩ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା । ଓପ୍ନର ଫିଲିପ ସଲ୍ଟ ମାତ୍ର ୩୩ ବଲରେ ୫ଟି ଚୌକା ଓ ୬ଟି ଛକା ମାରି ୬୫ ରନ୍ କରିଥିଲେ । କୋହଲିଙ୍କ ସହ ପ୍ରଥମ ୱିକେଟରେ ସଲ୍ଟ ୯୨ ରନ୍ ଯୋଡ଼ିଥିଲେ । ସେ ଆଉଟ୍ ହେବା ପରେ କୋହଲି ଓ ଦେବଦତ୍ତ ପଡିକଲ ଅପରାଜିତ ରହି ବାକି କାମ ସାରି ଦେଇଥିଲେ । କୋହଲି ୪୫ ବଲରେ ୬୨ ରନ୍ (୪ ଚୌକା, ୨ ଛକା) ଏବଂ ପଡିକଲ ୨୮ ବଲରେ ୪୦ ରନ୍ (୫ ଚୌକା, ୧ ଛକା) କରିଛନ୍ତି ।

ଏହି ମ୍ୟାଚ୍ ପରେ ବେଙ୍ଗାଲୁରୁ ମୋଟ ୬ଟି ମ୍ୟାଚ୍ ଖେଳି ୪ଟି ବିଜୟ ଓ ୨ଟି ପରାଜୟ ସହ ୮ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୨ଟି ବିଜୟ ଓ ୪ଟି ପରାଜୟ ସହ ୪ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି ।