ଇତିହାସ ରଚିଲେ ୨୫ ବର୍ଷୀୟ ଭାରତୀୟ ଯୁବ ବ୍ୟାଟର ଋତୁରାଜ ଗାଏକ୍ୱାଡ଼୍‍, ଗୋଟିଏ ଓଭରରେ ମାରିଲେ ୭ଟି ଛକା

କେନ୍ୟୁଜ୍‌: ଇତିହାସ ରଚିଛନ୍ତି ୨୫ ବର୍ଷୀୟ ଭାରତୀୟ ଯୁବ ବ୍ୟାଟର ଋତୁରାଜ ଗାଏକ୍ୱାଡ଼୍‍ । ସୋମବାର ଖେଳା ଯାଉଥିବା ବିଜୟ ହଜାରେ ଟ୍ରଫିରେ ଋତୁରାଜ ରନର ବର୍ଷା କରିଛନ୍ତି । ମହାରାଷ୍ଟ୍ର- ଉତ୍ତରପ୍ରଦେଶ ମଧ୍ୟରେ ଚାଲିଥିବା ଏହି ମ୍ୟାଚ୍‌ରେ ସେ ଡବଲ ଶତକ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି । ସେ ଗୋଟିଏ ଓଭରରେ ଚମତ୍କାର ୭ଟି ଛକା ମାରି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଘରୋଇ କ୍ରିକେଟର ବିଜୟ ହଜାରେ ଟ୍ରଫିରେ ଏହିପରି ଧୂଆଁଧାର ବ୍ୟାଟିଂ କରି ଋତୁରାଜ କ୍ରିକେଟ ଇତିହାସରେ ଏକ ବିରଳ ରେକର୍ଡ କରିଛନ୍ତି ।

ମହାରାଷ୍ଟ୍ର –ଉତ୍ତର ପ୍ରଦେଶର ଏହି ମ୍ୟାଚ୍‌ରେ ସେ ୧୫୯ ବଲରେ ଅପରାଜିତ ୨୨୦ ରନ କରିଛନ୍ତି । ଏହି ମ୍ୟାଚରେ ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୩୦ ରନ କରିଥିଲେ ।

ଗୋଟିଏ ଓଭରରେ ୭ଟି ଛକା:

ଏହି ୨୫ ବର୍ଷୀୟ ଋତୁରାଜ ଗୋଟିଏ ଓଭରରେ ୭ଟି ଛକା ମାରି ୪୩ ରନ ସଂଗ୍ରହ କରିଥିଲେ । ଉତ୍ତର ପ୍ରଦେଶର ଶିବା ସିଂ ବୋଲିଂ କରୁଥିବା ବେଳେ ଗୋଟିଏ ‘ନୋ’ ବଲ ବି ଦେଇଥିଲେ । ଗୋଟିଏ ଓଭରରେ ସେ ୭ଟି ଛକା ମାରିବାରେ ବିଶ୍ୱରେ ପ୍ରଥମ ବ୍ୟାଟର ହୋଇଗଲେ ।
• ୪୮.୧ ଓଭର-୬
• ୪୮.୨ ଓଭର-୬
• ୪୮.୩ ଓଭର-୬
• ୪୮.୪ ଓଭର-୬
• ୪୮.୫ ଓଭର-୬(ନୋ ବଲ)
• ୪୮.୫ ଓଭର-୬(ଫ୍ରୀ ହିଟ୍‌)
• ୪୮.୬ ଓଭର-୬

ଋତୁରାଜଙ୍କ ବ୍ୟତୀତ ମହାରାଷ୍ଟ୍ରରେ ଆଉ କାହାର ପ୍ରଦର୍ଶନ ଭଲ ନଥିଲା । ଉତ୍ତରପ୍ରଦେଶ ତରଫରୁ ଶିବା ସିଂ ୯ ଓଭରରେ ୮୮ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଋତୁରାଜଙ୍କର ଘର ମହାରାଷ୍ଟ୍ରରେ । ସେ ଆଇପିଏଲର ଚେନ୍ନାଇ ସୁପର କିଙ୍ଗସରେ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ଖେଳି ସାରିଛନ୍ତି । ସେ ଭାରତ ତରଫରୁ ଓ୍ଵାନ୍‌ଡେ ଏବଂ ଟି-୨୦ ରେ ଡେବ୍ୟୁ ମଧ୍ୟ କରି ସାରିଛନ୍ତି । ସେ ଭାରତ ତରଫରୁ ଗୋଟିଏ ଓ୍ଵାନ୍‌ଡେ ଏବଂ ୯ଟି ଟି-୨୦ ଖେଳି ସାରିଛନ୍ତି । ସେ ମଧ୍ୟ ଲିଷ୍ଟ-ଏ କ୍ରିକେଟରେ ୬୯ଟି ମ୍ୟାଚରେ ୫୫ ହାରରେ ୩୫୩୮ ରନ ସଂଗ୍ରହ କରିଛନ୍ତି ।

ଋତୁରାଜଙ୍କ ରେକର୍ଡ:

• ଲିଷ୍ଟ-ଏ କ୍ରିକେଟରେ ପ୍ରଥମ ଡବଲ ଶତକ
• ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ ଅଧିକ ରନ ( ୪୩ରନ ସହିତ ସମାନ)
• ଲିଷ୍ଟ-ଏ କ୍ରିକେଟରେ ୭ଟି ଛକା ମାରିବାରେ ପ୍ରଥମ ଖେଳାଳି
• ଲିଷ୍ଟ-ଏ କ୍ରିକେଟରେ ଡବଲ ଡବଲ ଶତକ ମାରିଥିବା ୧୧ତମ ଭାରତୀୟ ଖେଳାଳି

ଗୋଟିଏ ଓଭରରେ ସବୁଠାରୁ ଅଧିକ ରନ କରିଥିବା ଖେଳାଳି:

• ୪୩ ରନ: ଋତୁରାଜ ଗାଏକ୍ୱାଡ଼୍‍ – ମହାରାଷ୍ଟ୍ର ବନାମ ଉତ୍ତର ପ୍ରଦେଶ, ନଭେମ୍ବର ୨୦୨୨ (ଭାରତ)
• ୪୩ ରନ: ବି.ହମ୍ପଟନ୍‌ ଏବଂ ଜେ. କାର୍ଟର- ନଦର୍ଣ୍ଣ ଡିଷ୍ଟ୍ରିକ୍ଟ ବନାମ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ, ନଭେମ୍ବର ୨୦୧୮ (ନ୍ୟୁଜିଲାଣ୍ଡ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.