ଆଇପିଏଲରେ ମିଳିଲାନି ଏଣ୍ଟ୍ରି, କିନ୍ତୁ ବିଜୟ ହଜାରେ ଟ୍ରଫିରେ ଧମାଲ କରୁଛନ୍ତି ଶ୍ରୀସନ୍ଥ

ଇଣ୍ଡିଆନ ପ୍ରିମିଅର ଲିଗ(ଆଇପିଏଲ) ୧୪ ସିଜିନର ନିଲାମୀ ପ୍ରକ୍ରିୟା ୧୮ ତାରିଖରେ ସରିଯାଇଛି। ଏହି ବର୍ଷ ନିଲାମୀରେ ବିସିସିଆଇ ୨୯୨ ଖେଳାଳିଙ୍କୁ ସର୍ଟଲିଷ୍ଟ କରିଛି। ଯେଉଁଥିରେ ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଏସ ଶ୍ରୀସନ୍ଥଙ୍କ ନାମ ନାହିଁ। ଯାହାର ଜବାବ ଶ୍ରୀସନ୍ଥ ବିଜୟ ହଜାରେ ଟ୍ରଫିରେ ଦେଇଛନ୍ତି।

୩୮ ବର୍ଷୀୟ ଶ୍ରୀସନ୍ଥ ବିଜୟ ହଜାରେ ଟ୍ରଫିରେ ଦମଦାର ବୋଲି ଜାରି ରଖିଛନ୍ତି। ବିହାର ବିପକ୍ଷ ମ୍ୟାଚରେ ଶ୍ରୀସନ୍ଥ ୯ ଓଭରରେ ୩୦ ରନ୍ ଦେଇ ୪ ଓ୍ବିକେଟ ନେଇ ପୁଣିଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ପ୍ରାୟ ୧୦ ବର୍ଷ ପରେ ଶ୍ରୀସନ୍ଥ ଘରୋଇ କ୍ରିକେଟର ଲିଷ୍ଟ-ଏ ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହେଲେ ତାଙ୍କ ପ୍ରଦର୍ଶନରେ ତାଙ୍କ ବୟସର ପ୍ରଭାବ ପଡ଼ିନାହିଁ। ବିହାର ବିପକ୍ଷ ମ୍ୟାଚରେ ଶ୍ରୀସନ୍ଥ ୨ ଓଭର ମେଡନ ଓଭର ନେଇଥିଲେ। ଏପର୍ଯ୍ୟନ୍ତ ଶ୍ରୀସନ୍ଥ ୫ଟି ମ୍ୟାଚ୍ ଖେଳି ୧୩ଟି ଓ୍ବିକେଟ ନେଇ ସାରିଛନ୍ତି। ସୂଚନାଥାଉକି, ଶ୍ରୀସନ୍ଥ ୨୦୦୭ ଟି-୨୦ ବିଶ୍ବକପ୍ ଓ ୨୦୧୧ ଦିନିକିଆ ବିଶ୍ବକପ୍ ବିଜୟୀ ଟିମ୍ ଇଣ୍ଡିଆ ଦଳର ସଦସ୍ୟ ଥିଲେ।