“ମୁଁ କଟକର ଦହିବରା ନଖାଇ ବିଲକୁଲ ଯିବିନି” ସଲମାନ ଖାନ୍

କଟକ (କେନ୍ୟୁଜ୍) : କଟକ ବାରବାଟୀରେ ଅନେକ ସମୟ ଅପେକ୍ଷା କଲେ ଫ୍ୟାନ୍ । ହେଲେ ଡେରିରେ ଆସି ମଧ୍ୟ ମନ ମୋହି ନେଲେ ହଜାର ହଜାର ଦର୍ଶକଙ୍କର । କେବଳ ଟିକେଟ୍ କାଟିଥିବା ଦର୍ଶକ ହିଁ ଦେଖି ପାରିଲେ ବାରବାଟୀରେ ଆୟୋଜିତ ହକି ବିଶ୍ୱ କପ୍ର ଦ୍ୱିତୀୟ ଉଦଘାଟନୀ ଉତ୍ସବକୁ । କାରଣ ଏହାର ଲାଇଭ୍ ନଥିଲା । ଏ.ଆର. ରେହମାନଙ୍କ ସଂଗୀତର ଯାଦୁ ଏବଂ ଓଡ଼ିଆ କଳାକାରଙ୍କ ଗୀତ ପରେ ମଞ୍ଚକୁ ଆସିଥିଲେ ଭାଇଜାନ୍ ।
ଆଗରୁ ଓଡ଼ିଶା ଓ କଟକ ଆସିବାର ଥିଲା
ଭୁବନେଶ୍ୱର ବିମାନ ବନ୍ଦରରେ ଫ୍ୟାନ୍ଙ୍କ ଭିଡ଼ ଓ ବାରବାଟୀରେ ୩୦ ହଜାରରୁ ଊର୍ଦ୍ଧ୍ୱ ଦଶକଙ୍କୁ ଦେଖି ଚମତ୍କତ ହୋଇଥିଲେ । କହିଥିଲେ ଓଡ଼ିଶାକୁ ମୁଁ ପ୍ରଥମଥର ଆସିଛି । ମୋତେ ଏତେ ଭଲ ପାଇବା ମିଳିଛି ଯେ ମୁଁ ଭାବି ପାରୁନାହିଁ । ମୋର ଆଗରୁ ଓଡ଼ିଶା ଓ ଭାଇଚାରାର ସହର କଟକ ଆସିବାର ଥିଲା । ଏତେ କମ ସମୟ ପାଇଁ ଆସିଲି । ଓଡ଼ିଆରେ କହିଥିଲେ ‘ମୁଁ ତୁମକୁ ଭଲ ପାଏ’ । ପୁଣି ବାଲିଯାତ୍ରା ସମ୍ପର୍କରେ ଲୋକଙ୍କୁ ପଚାରିଥିଲେ । ଆଉ କହିଥିଲେ କଟକ ଦହିବରା ଆଳୁଦମ୍ ନଖାଇ ମୁଁ ଯିବି ନାହିଁ ।
ନବୀନ ଜଣେ ସରଳ ବ୍ୟକ୍ତି
ଏହି ଅବସରରେ ଦବଙ୍ଗ ଷ୍ଟାର୍ ଭାରତୀୟ ହକି ଦଳକୁ ବିଶ୍ୱ କପ୍ରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ଜଣେ ଅତି ସରଳ ଲୋକ । ତାଙ୍କ ବେଶ ପୋଷାକ ମଧ୍ୟ ଖୁବ୍ ସରଳ । ତାଙ୍କର ବ୍ୟକ୍ତିତ୍ୱ ଯୋଗୁଁ ସେ ଏତେ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ବୋଲି ସେ କହିଥିଲେ । ହକି ବିଶ୍ୱ କପ୍ ପାଇଁ ଡାକିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ସଂଗୀତଜ୍ଞ ରେହମାନଙ୍କୁ ଧନ୍ୟବାଦ ଦେଇଥିଲେ । ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ସଲମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଫ୍ୟାନ୍ଙ୍କ ଧୈର୍ଯ୍ୟ ଓ ଗୁଜବ
ଦିନ ପ୍ରାୟ ୨ଟା ବେଳୁ ଦର୍ଶକମାନେ ଷ୍ଟାଡିୟମରେ ପ୍ରବେଶ ପାଇଁ ଧାଡ଼ି ଲଗାଇଥିଲେ । ସଲମାନଙ୍କ ଆସିବାରେ ବିଳମ୍ବ ହେବା ଯୋଗୁଁ ଅନେକ ଗୁଜବ ଉଠିଲା । ତେବେ ସେ ପହଞ୍ଚିବା ପରେ ସବୁ କିଛି ବଦଳି ଯାଇଥିଲା । ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ବିଳମ୍ବିତ ସନ୍ଧ୍ୟାରେ କାର୍ ଯୋଗେ କଟକ ଯାଇଥିଲେ ସଲମାନ । ଓଡ଼ିଶାରେ ତାଙ୍କର ଏତେ ପ୍ରଶଂସକ ଥିବା ଦେଖି ସେ ଅଭିଭୂତ ହୋଇପଡ଼ିଥିଲେ ।