କ୍ୟାରିଅର ଯେଉଁଠି ଆରମ୍ଭ କଲି, ସେଇଠି ଶେଷ କଲି : ସାନିଆ

ସରିଲା ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ କ୍ୟାରିୟର। ନିଜର ଶେଷ ମ୍ୟାଚରେ ଭାବୁକ ହୋଇଛନ୍ତି ସାନିଆ । ଶେଷ ଗ୍ଲାଣ୍ଡସ୍ଲାମ ଖେଳୁଥିବା ଟେନିସ ତାରକାଙ୍କ ଗ୍ରାଣ୍ଡସ୍ଲାମ କ୍ୟାରିଅର ରନର୍ସ ଅପ୍ ସହ ଶେଷ ହୋଇଛି। ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ସାନିଆଙ୍କୁ ପରାସ୍ତ ହେବାକୁ ପଡିଛି ।

ଭାରତୀୟ ଷ୍ଟାର ରୋହନ ବୋପାନ୍ନାଙ୍କୁ ସାଥି କରି ସାନିଆ ଅଷ୍ଟ୍ରେଲିଆନ୍ ଓପନରେ ନିଜ ଦମ୍ ଦେଖାଇଥିଲେ । ତେବେ ଫାଇନାଲ ମ୍ୟାଚରେ ଏହି ଭାରତୀୟ ଯୋଡ଼ିଙ୍କୁ ହାରିବାକୁ ପଡ଼ିଛି। ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସ୍ ସାନିଆ-ବୋପାନ୍ନା ଯୋଡିଙ୍କୁ ପରାସ୍ତ କରିଛନ୍ତି । ଭାରତୀୟ ଯୋଡି ପ୍ରଥମ ସେଟରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ୬-୭ରେ ହାରି ଯାଇଥିଲେ । ଅଷ୍ଟ୍ରେଲିଆନ୍ ଓପନ ପରେ ଅବସର ନେବେ ବୋଲି ସାନିଆ ଘୋଷଣା କରିଥିଲେ ।

ସାନିଆ ତାଙ୍କ ଦୀର୍ଘ ବର୍ଷର ଟେନିସ କ୍ୟାରିୟର ମଧ୍ୟରେ ୬ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ଏଥିରେ ୩ଟି ମହିଳା ଡବଲ୍ସ ଓ ୩ଟି ମିକ୍ସଡ ଡବଲ୍ସ ଟାଇଟଲ୍ ରହିଛି। ରନର୍ସ ଟ୍ରଫି ଗ୍ରହଣ କରିବା ପରେ ସାନିଆ କାନ୍ଦି ପକାଇଥିଲେ । ସାନିଆ କହିଥିଲେ, ମୁଁ ଏହି ମେଲବର୍ଣ୍ଣରେ ଗ୍ରାଣ୍ଡସ୍ଲାମ କ୍ୟାରିୟର ଆରମ୍ଭ କରିଥିଲି, ସେଇଠି ଶେଷ କଲି । ଏହା ମୋ ପାଇଁ ସ୍ମରଣୀୟ ।

୩୬ ବର୍ଷୀୟ ସାନିଆ ମିର୍ଜା ଡବଲ୍ସରେ ବିଶ୍ୱର ନଂ ୧ ଖେଳାଳି ରହିସାରିଛନ୍ତି । ଗତବର୍ଷ ସାନିଆ ସନ୍ନ୍ୟାସ ନେବା କଥା ଘୋଷଣା କରିଥିଲେ ।  ସାନିଆ ମିର୍ଜା ଅର୍ଜୁନ ଆଓ୍ଵାଡ(୨୦୦୪), ପଦ୍ମଶ୍ରୀ ଆଓ୍ଵାର୍ଡ (୨୦୦୬), ରାଜୀବ ଗାନ୍ଧି ଖେଳ ରତ୍ନ ଆଓ୍ଵାର୍ଡ (୨୦୧୫) ଏବଂ ପଦ୍ମ ଭୂଷଣ ଆଓ୍ଵାର୍ଡ (୨୦୧୬)ରେ ସମ୍ମାନିତ ହୋଇସାରିଛନ୍ତି। ସାନିଆ ଏପର୍ଯ୍ୟନ୍ତ ୬ଟି ବଡ ଚାମ୍ପିଅନସିପରେ ମଡେଲ ମଧ୍ୟ ଜିତିସାରିଛନ୍ତି ।

ସାନିଆ ଡବଲ୍ସରେ ଅଷ୍ଟ୍ରେଲିଆନ ଓପନ(୨୦୧୬), େଓ୍ଵମ୍ବଲଡନ(୨୦୧୫), ୟୁଏସ ଓପନ (୨୦୧୫) ଟାଇଟଲ ଜିତିଛନ୍ତି। ଏହାଛଡା ମିକ୍ସଡ ଡବଲରେ ତିନିଟି ଗ୍ରାଣ୍ଡ ସ୍ଲାମ୍‌ ଅଷ୍ଟ୍ରେଲିଆ ଓପନ (୨୦୦୯), ଫ୍ରେଞ୍ଚ ଓପନ (୨୦୧୨) ଏବଂ ୟୁଏସ୍‌ ଓପନ (୨୦୧୪) ଟାଇଟଲ ଜିତିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.