ସନ୍ନ୍ୟାସ ନେବେ ଟେନିସ କୁଇନ ସାନିଆ, ‘ମୋ ଶରୀର ଆଉ ମୋତେ ସହଯୋଗ କରୁନି’

ଭାରତୀୟ ଟେନିସ ସୁପରଷ୍ଟାର ସାନିଆ ମିର୍ଜା ଖୁବଶୀଘ୍ର ଟେନିସ ଦୁନିଆକୁ ଅଲବିଦା କହିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆ ଓପନ ୨୦୨୨ର ମହିଳା ଯୋଡି ହାରିବା ପରେ ଟେନିସରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ୩୫ ବର୍ଷୀୟ ସାନିଆ ଏବଂ ୟୁକ୍ରେନର ନାଦିଆ କିଚନୋକ ୪-୬, ୬-୭ ସେଟରେ ହାରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏହି ମ୍ୟାଚ ହାରିବା ପରେ ସାନିଆ କହିଛନ୍ତି, ମୁଁ ଅବସର ନେବାର ଅନେକ କାରଣ ରହିଛି। ମୋତେ ଲାଗୁଛି ମୁଁ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗୁଛି। ମୁଁ ଦୂରକୁ ଟ୍ରାଭେଲ କରି ମୋର ୩ ବର୍ଷର ପୁଅର ଜୀବନ ମଧ୍ୟ ବିପଦରେ ପକାଉଛି। ଏହା ସହିତ ମୋ ଶରୀରର ଧ୍ୟାନ ରଖିପାରୁନାହିଁ। ଦିନକୁ ଦିନ ମୋ ଶରୀର ଖରାପ ହେବାରେ ଲାଗିଛି। ଆଉ ଖାସ୍‌ ଏହି କାରଣ ଯୋଗୁଁ ହୁଏତ ଆଜିର ମ୍ୟାଚ ଆମେ ହାରିଗଲୁ। ଆଉ ମୋତେ ଠିକ୍‌ ହେବାକୁ ସମୟ ଲାଗୁଛି କାରଣ ମୁଁ ଦିନକୁ ଦିନ ବୁଢୀ ହୋଇଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତିଦିନ ମୋ କୋର୍ଟକୁ ଆସିବା ପାଇଁ ପ୍ରେରଣା ଖୋଜିବାକୁ ପଡୁଛି। ପୂର୍ବ ଭଳି ଶରୀରରେ ଆଉ ବଳ ନାହିଁ। ପୂର୍ବାପେକ୍ଷା ମୋତେ ଏମିତି କରିବାକୁ ଇଚ୍ଛା ହେଉନି। ମୁଁ ସବୁବେଳେ କହିଛି କି, ମୁଁ ସେପର୍ଯ୍ୟନ୍ତ ଖେଳିବି ଯେପର୍ଯ୍ୟନ୍ତ ଖେଳିବାର ଆନନ୍ଦ ନେବି।

ଅଷ୍ଟ୍ରେଲିଆନ ଓପନ ପ୍ରଥମ ରାଉଣ୍ଡରେ ସାନିଆ ମିର୍ଜା ଓ ନାଡିଆ କିଚେନୋକଙ୍କ ଯୋଡି ୬-୪ ଓ ୭-୬(୭-୫) ସେଟରେ ପରାଜିତ ହୋଇଥିଲେ । କୋର୍ଟ-୫ରେ ଖେଳାଯାଉଥିବା ମୁକାବିଲାରେ କାଜା ଜୁଭାନ ଓ ଟାମାରା ଜିଡାନସେକଙ୍କ ଯୋଡି ଏକତରଫା ସେଟରେ ମୁକାବିଲା ଜିତି ନେଇଥିଲେ । ଅନ୍ୟତମ ଭାରତୀୟ ଖେଳାଳି ରୋହନ ବୋପାନ୍ନା ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଉଭୟ ବୋପାନ୍ନା ଏବଂ ସାନିଆ ବର୍ତ୍ତମାନ ମିକ୍ସଡ ଡବଲ୍ସ ମୁକାବିଲାରେ ଅବତୀର୍ଣ୍ଣ ହେବେ ।

ଜିତିଛନ୍ତି ୬ ଗ୍ରାଣ୍ଡ ସ୍ଲାମ

ସାନିଆ ମିର୍ଜା ମହିଲା ଡବଲ୍ସରେ ୨୦୧୬ରେ ଅଷ୍ଟ୍ରେଲିଆନ ଓପନ, ୨୦୧୫ରେ ଓ୍ଵିମ୍ବଲଣ୍ଡନ ଏବଂ ୟୁଏସ ଓପନ ଟାଇଟଲ୍ ଜିତିଥିଲେ। ସେହିପରି ମିକ୍ସ ଡବଲ୍ସରେ ସେ ୨୦୦୯ରେ ଅଷ୍ଟ୍ରେଲିଆନ ଓପନ, ୨୦୧୨ରେ ଫ୍ରେଞ୍ଚ ଓପନ ଏବଂ ୨୦୧୪ରେ ୟୁଏସ ଓପନ ଜିତିଥିଲେ।

୨୦୦୩ରେ ଆରମ୍ଭ ହୋଇଥିଲା କ୍ୟାରିୟର

୩୫ ବର୍ଷୀୟ ସାନିଆ ଭାରତର ସବୁଠୁ ବଡ ମହିଳା ଟେନିସ୍ ଖେଳାଳି। ସେ ଟେନିସ୍‌ରେ ନିଜର ପେଶାଦାର କ୍ୟାରିୟର ୨୦୦୩ରେ ଆରମ୍ଭ କରିଥିଲେ। ଗତ ୧୯ ବର୍ଷ ଧରି ସେ ନିୟମିତ ଟେନିସ୍ ଖେଳି ଆସୁଛନ୍ତି ଏବଂ ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତକୁ ଜିତାଇଛନ୍ତି। ସେ ନିଜ କ୍ୟାରିୟରରେ ଡବଲ୍ସରେ ଏକ ନମ୍ବର ଖେଳାଳି ମଧ୍ୟ ରହିଛନ୍ତି।