ପାନ ଦୋକାନୀଙ୍କ ପୁଅ ଦେଶ ପାଇଁ ଜିତିଲେ ପଦକ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ସଂକେତ ସାଗରଙ୍କୁ ରୌପ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତର ପଦକ ଖାତା ଖୋଲିଛି। ସଙ୍କେତ ମହାଦେବ ସାଗର ପୁରୁଷ ଭାରୋତ୍ତୋଳନର ୫୫ କିଲୋ ବର୍ଗରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି। ସଙ୍କେତ ସରଗର ସ୍ନାଚ୍ ଏବଂ କ୍ଲିନ୍ ଓ ଜର୍କରେ ମୋଟ ୨୪୮ କେଜି ଭାର ଉଠାଇ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି।
ସେ ପ୍ରଥମ ରାଉଣ୍ଡ ଅର୍ଥାତ୍ ସ୍ନାଚ୍ରେ ବେଷ୍ଟ୍ ୧୧୩ କେଜି ଭାର ଉଠାଇଥିଲେ। ଏହାପରେ ଦ୍ୱିତୀୟ ରାଉଣ୍ଡ ଅର୍ଥାତ୍ କ୍ଲିନ୍ ଆଣ୍ଡ ଜର୍କରେ ୧୩୫ କେଜି ଭାର ଉଠାଇ ପଦକ ହାତେଇ ଥିଲେ।
ମହାରାଷ୍ଟ୍ର ସାଙ୍ଗଲିର ବାସିନ୍ଦା ସଙ୍କେତଙ୍କର ଭାରୋତ୍ତୋଳନ ପ୍ରତି ଗଭୀର ରୁଚି ରହି ଆସିଛି। ୨୧ ବର୍ଷୀୟ ସଙ୍କେତ କୋହ୍ଲାପୁରର ଶିବାଜୀ ବିଶ୍ୱବିଦ୍ୟାଳୟରେ ଇତିହାସର ଛାତ୍ର। ସେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୦ ଏବଂ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ରେ ବି ଚାମ୍ପିୟନ ଥିଲେ। ସଙ୍କେତ ୫୫ କେଜି ବର୍ଗରେ ଜାତୀୟ ରେକର୍ଡ (ମୋଟ ୨୪୪ କେଜି) ମଧ୍ୟ ରଖିଛନ୍ତି।
It’s SILVER 🥈for 🇮🇳 Sanket Sargar in #weightlifting pic.twitter.com/5n3twrB3QP
— Doordarshan Sports (@ddsportschannel) July 30, 2022
ରିପୋର୍ଟ ଅନୁସାରେ, ସଙ୍କେତଙ୍କ ବାପାଙ୍କର ସାଙ୍ଗଲିରେ ଏକ ପାନ ଦୋକାନ ରହିଛି। ସଙ୍କେତ ଏବେ ନିଜ ବାପାଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି। ନିକଟରେ ସଙ୍କେତ କହିଥିଲେ କି, ‘ଯଦି ମୁଁ ସ୍ୱର୍ଣ୍ଣ ଜିତି ନେବି, ତା’ ହେଲେ ବାପାଙ୍କୁ ସାହାଯ୍ୟ କରିବି। ସେ ମୋ ପାଇଁ ବହୁତ ପରିଶ୍ରମ କରିଛନ୍ତି। ମୁଁ ତାଙ୍କୁ ବହୁତ ଖୁସି ଦେବାକୁ ଚାହୁଁଛି’।