ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର, ସାଉଦି ଆରବରେ ଖେଳାଯିବ ୨୦୩୪ ଫିଫା ବିଶ୍ବକପ
ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର । ସାଉଦି ଆରବ ୨୦୩୪ରେ ହେବାକୁ ଥିବା ଫିଫା ଫୁଟବଲ ବିଶ୍ୱକପ୍ ଆୟୋଜନ କରିବ । ଫେଡେରେସନ୍ ଇଣ୍ଟରନ୍ୟାସନାଲ ଡି ଫୁଟବଲ୍ ଆସୋସିଏସନ୍ (ଫିଫା) ବୁଧବାର ଏହି ଘୋଷଣା କରିଛି । ଏହା ବ୍ୟତୀତ ୨୦୩୦ ଫିଫା ବିଶ୍ୱକପର ଆୟୋଜକ ଦେଶମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ସ୍ପେନ୍, ପର୍ତ୍ତୁଗାଲ ଓ ମରୋକ୍କୋକୁ ୨୦୩୦ ବିଶ୍ବକପ୍ ମିଶି ଆୟୋଜକ ଦାୟିତ୍ବ ଦିଆଯାଇଛି ।
ସାଉଦି ଆରବକୁ ୨୦୩୪ ଫୁଟବଲ ବିଶ୍ବକପ ଆୟୋଜନ କରିବା ପାଇଁ ଦାୟିତ୍ବ ମିଳିଛି । ସେହିପରି ସ୍ପେନ୍, ପର୍ତ୍ତୁଗାଲ ଓ ମରୋକ୍କୋକୁ ୨୦୩୦ ବିଶ୍ବକପ୍ ମିଶି ଆୟୋଜକ ଦାୟିତ୍ବ ଦିଆଯାଇଛି । ତେବେ ଏହା ପ୍ରଥମ ଥର ପାଇଁ ନୁହେଁ, କୌଣସି ଆରବ ଦେଶରେ ଫୁଟବଲ ବିଶ୍ବକପ ଆୟୋଜନ କରାଯାଉଛି । ଗତ ବିଶ୍ବକପ କତାରରେ ଖେଳାଯାଇଥିଲା ।
ଫୁଟବଲ ବିଶ୍ୱକପର ୧୦୦ ତମ ବାର୍ଷିକୀ ପାଳନ ଅବସରରେ ଆର୍ଜେଣ୍ଟିନା, ପାରାଗୁଏ ଏବଂ ଉରୁଗୁଏରେ ୨୦୩୦ ବିଶ୍ୱକପର ତିନୋଟି ମ୍ୟାଚ୍ ଖେଳାଯିବ । ସାଉଦି ଆରବ ପ୍ରଥମ ଦେଶ ଭାବେ ୪୮ ଦଳ ବିଶିଷ୍ଟ ଫିଫା ବିଶ୍ୱକପ୍ ଆୟୋଜନ କରିବ । ୨୦୨୨ମସିହାରେ ଉପସାଗରୀୟ ଦେଶ କତାରରେ ଫିଫା ବିଶ୍ୱକପ୍ ଅନୁଷ୍ଠିତ ହୋଇଥିଲା । ଆର୍ଜେଣ୍ଟିନା ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚରେ ଫ୍ରାନ୍ସକୁ ପରାସ୍ତ କରି ଟାଇଟଲ ଜିତିଥିଲା ।
ସୂଚନାଯୋଗ୍ୟ, ଆଗାମୀ ଫୁଟବଲ ବିଶ୍ବକପ ଦୁଇବର୍ଷ ପରେ ଅର୍ଥାତ୍ ୨୦୨୬ରେ ଖେଳାଯିବ । ୨୦୨୬ ଫୁଟବଲ ବିଶ୍ବକପର ଆୟୋଜନ ମିଳିତ ଭାବେ ଆମେରିକା, କାନାଡା ଏବଂ ମେକ୍ସିକୋକୁ ମିଳିଛି । ଏହାପରେ ୨୦୩୪ରେ ବିଶ୍ବକପ ଆୟୋଜନ ହେବ । କ୍ରିକେଟ ଭଳି ଫୁଟବଲ ବିଶ୍ବକପ ମଧ୍ୟ ପ୍ରତି ୪ ବର୍ଷରେ ଥରେ ହୋଇଥାଏ ।