ଭାରତକୁ ନିଜ ମାଟିରେ କେମିତି ହରାଇଲେ, ରହସ୍ୟ କହିଲେ ନ୍ୟୁଜିଲାଣ୍ଡ ଅଧିନାୟକ ଲଥାମ୍

ପୁନେ : ଲଗାତର ଦୁଇଟି ଟେଷ୍ଟ ଜିତି ଭାରତ ବିରୋଧରେ ଐତିହାସିକ ସିରିଜ୍ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ ଦଳ । ବିଶ୍ବର ଶ୍ରେଷ୍ଠ ଦଳକୁ ତାରି ମାଟଇରେ ଲଗାତର ହରାଇବା ଓ ସିରିଜ୍ କବଜା କରିବା କିଛି ଛୋଟିଆ ସଫଳତା ନୁହେଁ । କାରଣ ଗତ ୧୮ଟି ଟେଷ୍ଟ ସିରିଜରେ ଭାରତୀୟ ଦଳ ଅପରାଜେୟ ଥିଲା ।

ବେଙ୍ଗାଲୁରୁର ଠାରେ ପ୍ରଥମ ଟେଷ୍ଟରେ ଘରୋଇ ଦଳ ୮ ୱିକେଟରେ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ଟେଷ୍ଟରେ ଗତ ଶନିବାର ଦିନ ୧୧୩ ରନରେ ହାରିଗଲା । ତେବେ ଦଳରେ ଏତେ ଧୁରନ୍ଧର ବ୍ୟାଟର ସବୁ ଥାଉ ଥାଉ, ବୋଲରମାନଙ୍କ ଭଲ ପ୍ରଦର୍ଶନ ସତ୍ତ୍ବେ ଭାରତ ହାରିଲା କାହିଁକି ? ଏହା ଜଳ ଜଳ କରି ଦେଖା ଗଲା ଯେ ବ୍ୟାଟସମ୍ୟାନଙ୍କ ବିଫଳତା ହିଁ ପରାଜୟର କାରଣ । ତେବେ ଭାରତକୁ ହରାଇ ବିଜୟୀ ହେବା ପଛରେ ଆଉ କିଛି କାରଣ ରହିଛି ବୋଲି ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲଥାମ୍ ସ୍ପଷ୍ଟ କରିଛନ୍ତି । ସେ ଯେଉଁ କାରଣଟିକୁ ପ୍ରମୁଖ ବୋଲି କହିଛନ୍ତି ତାହା ହେଉଛି ଟସ୍ । ଦୁଇଟି ଯାକ ଟେଷ୍ଟରେ ସେ ଟସ୍ ଜିତି ଥିଲେ । ଟସ୍ ଜିତିବା ଫଳରେ ସେମାନଙ୍କ ରଣନୀତି ସଫଳ ହୋଇଥିଲା । ଭାରତୀୟ ଦଳ ଉପରେ ଚାପ ପକାଇବା ଥିଲା ଉଦ୍ଦେଶ୍ୟ । ସେଥିରେ ସେମାନେ ସଫଳ ହେଲେ ବୋଲି ଲଥାମ କହିଛନ୍ତି । ଆରମ୍ଭରୁ ଭାରତୀୟ ଖେଳାଳିଙ୍କୁ ଝଟକା ଦେବାରେ ସଫଳ ହେବା ଯୋଗୁଁ ସେମାନେ ଚାପରେ ରହିଲେ ଆଉ ଆମକୁ ସୁବିଧା ହେଲା ବୋଲି ସେ କହିଛନ୍ତି ।

ବୋଲିର ମିଚେଲ ସାଣ୍ଟନର ଦ୍ବିତୀୟ ଟେଷ୍ଟରେ ୧୩ ୱିକେଟ୍ ନେଇଥିଲେ । ଯାହାଫଳରେ ଭାରତର ବ୍ୟାଟିଂ ଦୁର୍ଗ ଧ୍ବସ୍ତ ହୋଇ ଯାଇଥିଲା । ତାଙ୍କୁ ପ୍ରଶଂସା କରି ଅଧିନାୟକ ଲଥାମ୍ କହିଛନ୍ତି ଯେ ମିଚ୍ ଦୀର୍ଘ ଦିନ ଧରି ଚେନ୍ନାଇ ସୁପର କିଙ୍ଗସ ତରଫରୁ ଖେଳୁଛନ୍ତି । ତେଣୁ ଭାରତୀୟ ପରିବେଶ ଓ ପିଚ୍ ସହ ଭଲ ଭାବେ ଅଭ୍ୟସ୍ତ । ଏକଥା ଆମ ରଣନୀତିରେ କାମ ଦେଲା ।

ନିଜ ପିଚରେ ନିଜେ ଫସିଗଲା ଭାରତୀୟ ଦଳ

ତେବେ ଏକଥା ବି ସତ ଯେ ନିଜ ବୋଲରଙ୍କୁ ସୁହାଇଲା ଭଳି ପିଚ୍ କରିଥିଲା ବିସିସିଆଇ । ହେଲେ ନିଜେ ଗାତ ଖୋଳି ସେଥିରେ ପଡ଼ିଲା ଭଳି ଏହାର ବ୍ୟାଟରମାନେ ସେଥିରେ ପଡ଼ିଗଲେ । ପୂର୍ବତନ ଖେଳାଳି ମଦନ ଲାଲ କହିଛନ୍ତି କି ନିଜ ଜାଲରେ ନିଜେ ଫସିଗଲା ଭାରତ ।