ହକି ବିଶ୍ୱକପ୍‌ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ୱର, ପ୍ରତି ଦଳକୁ ଦୁଇ ଜଣ ଲେଖାଏଁ ବନ୍ଧୁକଧାରୀ ପିଏସ୍‌ଓ

ଭୁବନେଶ୍ବର : ହକି ବିଶ୍ୱକପ୍‌ ପାଇଁ ପହଞ୍ଚିଲେଣି ବିଦେଶୀ ଖେଳାଳି । ସୁରକ୍ଷା ବଳୟରେ ଭୁବନେଶ୍ୱର । ପ୍ରତି ଦଳକୁ ଦୁଇ ଜଣ ଲେଖାଏଁ ବନ୍ଧୁକଧାରୀ ପିଏସ୍‌ଓ ଦେଇଛି କମିଶନରେଟ ପୋଲିସ । ଖେଳାଳି ରହୁଥିବା ହୋଟେଲ ଆଗରେ କ୍ୟାମ୍ପ କରାଯାଇଛି । ତେବେ ପାକିସ୍ତାନ ହକି ଟିମ୍‌ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ । ଶନିବାର କିମ୍ବା ରବିବାର ଭୁବନେଶ୍ୱରରେ ପହଞ୍ଚିବ ପାକିସ୍ତାନ ହକି ଟିମ୍‌ । ସେହିଭଳି ବିଶ୍ୱକପ୍‌ ବେଳେ ଭୁବନେଶ୍ୱରରେ ରହିବେ ୨ ୟୁନିଟ୍‌ ନ୍ୟାସନାଲ ସିକ୍ୟୁରିଟି ଗ୍ରୁପ୍‌ ବା ଏନ୍‌ଏସ୍‌ଜି । ଖେଳାଳି ଓ ଅଫିସିଆଲ୍‌ ରହୁଥିବା ହୋଟେଲ ଓ ଷ୍ଟାଡିୟମରେ ଏଟିଏସ୍‌, ସୁଇଫ୍ଟ ଆକ୍ସନ ଫୋର୍ସ ମୁତୟନ ରହିବେ । ୨୭ ତାରିଖରୁ ଭୁବନେଶ୍ୱରରେ ମୋଟ୍‌ ୭୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ ।

ଅନ୍ଯପଟେ ସୁରକ୍ଷା ବଳୟରେ କ୍ରୀଡା ସଚିବ ଭିଶାଲ ଦେବଙ୍କ ସରକାରୀ ବାସଭବନ । ପୋଲିସ ମୁତୟନ ହୋଇଛନ୍ତି । ଗତକାଲି କିଛି ସଂଗଠନ ତାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଥିଲେ । ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି କମିଶନରେଟ ପୋଲିସ । ଏହାସହ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଆଗକୁ ହକି ବିଶ୍ୱକପ୍‌ ଥିବାରୁ କିଛି ଅଘଟଣ ଆଶଙ୍କା ଥିବାରୁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଛି ।

ଆଜି ଭୁବନେଶ୍ୱରରେ ପହଁଞ୍ଚିଛି ସ୍ପେନ୍‌ ହକି ଟିମ୍‌ । ଭୁବନେଶ୍ୱର ବିମାନବନ୍ଦରେ ଖେଳାଳିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଶ୍ୱର‍୍ୟାଙ୍କିଂରେ ସ୍ପେନ୍‌ର ସ୍ଥାନ ରହିଛି ଅଷ୍ଟମ । ତଥାପି ଦଳ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି ।

ଭାରତକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିଛନ୍ତି ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ଚୀନ୍‌, ସ୍ପେନ୍‌, ଫ୍ରାନ୍ସ ହକି ଟିମ୍‌ । ବିମାନବନ୍ଦରରେ ପହଁଞ୍ଚିବା ପରେ ସେଲଫି ମାନିଆରେ ମାତି ଯାଉଛନ୍ତି ବିଦେଶୀ ଖେଳାଳି । ଯେଉଁଥିର ବାରି ହୋଇ ପଡୁଛି ଓଡ଼ିଶା ପ୍ରତି ବିଦେଶୀ ଖେଳାଳିଙ୍କ ଭଲ ପାଇବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like