ନିକଟରେ ଅଷ୍ଟେଲିଆରେ ଶେଷ ହୋଇଛି ଆଇସିସି ମହିଳା ଟି-୨୦ ବିଶ୍ୱ କପ୍ । ଏଥିରେ ଭାରତକୁ ହରାଇ ଚାମ୍ପିଅନ୍ ହୋଇଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ । ତେବେ ପ୍ରଥମଥର ଫାଇନାଲ୍ରେ ପହଞ୍ଚି ରନର୍ସ ଅପ୍ ହୋଇଥିବା ଭାରତୀୟ ଦଳର ଖେଳକୁ ସମସ୍ତେ ପ୍ରଶଂସା କରିଛନ୍ତି । କାରଣ ଫାଇନାଲ୍ ଯାଏ ସେମାନେ ଗୋଟିଏ ବି ମ୍ୟାଚ୍ ହାରି ନଥିଲେ । ଦଳଗତ ପ୍ରଦର୍ଶନ ଯୋଗୁଁ ଟିମ୍ ଏତେ ବାଟ ଆସି ପହଞ୍ଚି ପାରିଥିଲା । ଏହି ଦଳରେ କିନ୍ତୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓପ୍ନର ଶେଫାଳି ବର୍ମା । ନିଜର ଚମତ୍କାର ବ୍ୟାଟିଂ ଓ ସର୍ବାଧିକ ସ୍କୋର ଯୋଗୁଁ ଶେଫାଳି ‘ମ୍ୟାନ୍ ଅଫ୍ ଦି ସିରିଜ୍’ ପୁରସ୍କାର ହାସଲ କରିଥିଲେ ।
ଶେଫାଳିଙ୍କ ଏହି ସଫଳତା ପଛରେ ତାଙ୍କର କଠିନ ପରିଶ୍ରମ ଓ ଖେଳ ପ୍ରତି ନିଷ୍ଠା ହିଁ ରହିଛି । ତେବେ ତାଙ୍କ କ୍ରିକେଟ୍ ଜୀବନ କେମିତି ଆରମ୍ଭ ହେଲା ଏବଂ ସେ କିଭଳି ଭାବେ ନିଜକୁ କ୍ରିକେଟ୍ ପ୍ରତି ସମର୍ପିତ ହେଲେ ସେ କାହାଣୀ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ବାପାଙ୍କ ପ୍ରେରଣା ପାଇ ଶେଫାଳି କ୍ରିକେଟ୍ ଖେଳାଳି ବନିଗଲେ । ତେବେ ପ୍ରଥମରୁ ଏସବୁ ସହଜ ନଥିଲା । ଶେଫାଳି କୁହନ୍ତି ତାଙ୍କ ବାପା ଜଣେ ଭଲ କ୍ରିକେଟ୍ ଖେଳାଳି ହେବାକୁ ଇଚ୍ଛା କରିଥିଲେ । ହେଲେ ତାଙ୍କ ପାଇଁ ସେତେବେଳେ ସୁବିଧା ସୁଯୋଗ ନଥିଲା ।
ନିଜର ସ୍ୱପ୍ନ ପୂରଣ କରିବାକୁ ସେ ନିଜ ପୁଅକୁ କ୍ରିକେଟ୍ ଖେଳାଇବାକୁ ଚାହିଁଲେ । ଯେଉଁଦିନ ସେ ନିଜ ପୁଅକୁ କ୍ରିକେଟ୍ ଖେଳିବାକୁ ନେଲେ ସେତେବେଳେ ସାଙ୍ଗରେ ସେଫାଳିଙ୍କୁ ବି ନେଇ ଯାଇଥିଲେ । ବାପ ପୁଅ କ୍ରିକେଟ୍ ଖେଳିବା ବେଳେ ସେଫାଳିଙ୍କୁ କେବଳ ବଲ୍ ଗୋଟାଇବାକୁ ଦାୟିତ୍ୱ ଦିଆଗଲା । ତେବେ ପରେ ବାପା ଦୟା କରି ଝିଅକୁ ବ୍ୟାଟିଂ କରିବାର ସୁଯୋଗ ଦେଲେ ଓ ଶେଫାଳି ଭଲ ସଟ୍ ସବୁ ଖେଳିଲେ । ବାପା ଏଥିରେ ପ୍ରଭାବିତ ହେଲେ । ତା ପରେ ଆରମ୍ଭ ହେଲା ତାଙ୍କର କ୍ରିକେଟ୍ ଜୀବନ । ହେଲେ ତାଲିମ ନେବାକୁ ତାଙ୍କୁ କୌଣସି ଏକାଡେମୀ ମିଳିଲା ନାହିଁ ।
ନିଜ ଭାଇ ସାଥୀରେ ଖେଳ ଅଭ୍ୟାସ କଲେ । ପୁଅ ପିଲାଙ୍କ ସହ ଅଭ୍ୟାସ କରିବାକୁ ଚାହିଁବାରୁ ସମସ୍ତେ ନାକ ଟେକିଲେ । ଫଳରେ ବାପାଙ୍କୁ ପଚାରି ସେ ନିଜର ବାଳ କାଟି ପୁଅ ପିଲାଙ୍କ ଷ୍ଟାଇଲ୍ ଧରିଲେ । ତେବେ ବାପା ତାଙ୍କୁ କଠିନ ଅଭ୍ୟାସ କରାଇଲେ ଓ ଶେଷରେ ଏକ ମହିଳା କ୍ରିକେଟ୍ ଏକାଡେମୀରେ ତାଙ୍କୁ ସୁଯୋଗ ମିଳିଗଲା । ସେଠାରେ ଚମତ୍କାର ପ୍ରଦର୍ଶନ ପରେ ୨୦୧୩ରେ ସିନିୟର ଟିମ୍ରେ ଖେଳିଲେ । ତାଙ୍କ ଭାଇ ଦେହ ଖରାପ ହୋଇଥାଏ । ସେତିକି ବେଳେ ସେ ଭାଇର ଟି-ସାର୍ଟ ପିନ୍ଧି ଟୁର୍ଣ୍ଣାମେଣ୍ଟରେ ଖେଳି ସିରିଜ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହେଲେ ।
ତା ପରେ ଆସିଲା ଭାରତୀୟ ଦଳରେ ସୁଯୋଗ । ମାତ୍ର ୧୬ ବର୍ଷ ବୟସରେ ଏବେ ଶେଫାଳି ଟି-୨୦ରେ ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ପାଲଟି ଯାଇଛନ୍ତି । ମିତାଲି ରାଜ୍ଙ୍କ ପରେ ଏହି ସଫଳତା ପାଇବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ।
ଟି-୨୦ ବିଶ୍ୱକପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଶେଫାଳି କାନ୍ଦି ପକାଇଥିଲେ । ଯାହା ଦୁଃଖ ଦେଇଥିଲା ଅନ୍ୟ ଖେଳାଳିମାନଙ୍କୁ । ଏମିତିକି ଅଷ୍ଟ୍ରେଲିଆ ଖେଳାଳିମାନେ ମଧ୍ୟ ଭାବପ୍ରବଣ ହୋଇପଡ଼ିଥିଲେ । କାରଣ ଶେଫାଳି ବୁଝି ପାରିଥିଲେ ଯେ ତାଙ୍କର ବିଫଳତା ଫାଇନାଲ୍ ଦଳକୁ ପ୍ରଭାବିତ କରିଥିଲା ।
ତେବେ ଏହି ଯୁବ ଖେଳାଳିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଏବେ ଏବେ ଆରମ୍ଭ ହୋଇଛି । ଆଗକୁ ଅନେକ ବାଟ ଯିବାର ଅଛି ।