ବୈଭବ ସୂର୍ଯ୍ୟବଂଶୀଙ୍କୁ ବୀରେନ୍ଦ୍ର ସେହବାଗଙ୍କ ବଡ଼ ପରାମର୍ଶ, ପ୍ରଶଂସା ନୁହେଁ ଖେଳ ଉପରେ ଧ୍ୟାନ ଦିଅ

ଚଳିତ ଆଇପିଏଲରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ୧୪ ବର୍ଷୀୟ ଖେଳାଳି ବୈଭବ ସୂର୍ଯ୍ୟବଂଶୀ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବିହାରର ଏହି ଖେଳାଳି ଏତେ କମ୍ ବୟସରେ ଆଇପିଏଲରେ ଖେଳୁଥିବାରୁ ସମସ୍ତଙ୍କ ନଜର ମଧ୍ୟ ତାଙ୍କରି ଉପରେ ରହିଛି । ସେ ଯଶସ୍ବୀ ଜୟସ୍ବାଲଙ୍କ ସହିତ ଇନିଂସ୍ ଓପ୍ କରୁଛନ୍ତି । ଦୁଇଟି ମ୍ୟାଚରେ ବଡ଼ ସଟ୍ ଖେଳି ସମସ୍ତଙ୍କ ଦୃଷ୍ଟିଆକର୍ଷଣ ମଧ୍ୟ କରିଛନ୍ତି । ଆଇପିଏଲରେ ସେ ଖେଳିଥିବ. ପ୍ରଥମ ବଲରେ ଛକା ମାରିଥିଲେ । ତେଣୁ ପଡ଼ିଆକୁ ଆସିଲେ ବୈଭବଙ୍କ ପାଇଁ ଖୁବ୍ ତାଳି ବାଜୁଛି ।
ତେବେ ଅନେକ ପ୍ରଶଂସା ଓ ଲୋକପ୍ରିୟତା ବୈଭବଙ୍କ କ୍ୟାରିୟର ପାଇଁ ଶୁଭଙ୍କର ନୁହେଁ ବୋଲି ପୂର୍ବତନ ଓପ୍ନର ବୀରେନ୍ଦ୍ର ସେହବାଗ ଚେତାଇ ଦେଇଛନ୍ତି । ଯଦି ନିୟମିତ ଭାବେ ଏଭଳି ପ୍ରଶଂସା ପାଇବାକୁ ଚାହାନ୍ତି ତେବେ ବୈଭବ ନିଜ ଖେଳ ଉପରେ ଅଧିକ ଗୁରୁତ୍ବ ଦିଅନ୍ତୁ । କାରଣ ଏତେ କମ୍ ବୟସରେ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଛି । ସବୁବେଳେ ଲୋକେ ତାଙ୍କ ଠାରୁ ଭଲ ସ୍କୋର ଓ ବଡ଼ ସଟ୍ ଆଶା କରିବେ । ଆଉ ଯଦି ଲୋକଙ୍କ ଆଶା ପୂରଣ କରିବା ଏବଂ ଲୋକଙ୍କ ଠାରୁ ପ୍ରଶଂସା ପାଇବା ଲୋଭରେ ରହିବେ ତେବେ ବୈଭବଙ୍କ କ୍ୟାରିୟର ବେଶି ଲମ୍ବା ହେବ ନାହିଁ । ସେ ବିରାଟ କୋହଲିଙ୍କ ଭଳି ଲମ୍ବା ସମୟ ଯାଏ ଖେଳିବାର ମାନସିକତା ରଖିବା ଦରକାର । ବିରାଟ ୧୯ ବର୍ଷ ବୟସରୁ ଖେଳ ଆରମ୍ଭ କରି ଏଯାଏ ଖେଳୁଛନ୍ତି । ସବୁ ଆଇପିଏଲରେ ବିରାଟ ଖେଳିଛନ୍ତି । ବୈଭବ ତାଙ୍କରି ପଥ ଅନୁସରଣ କରି ନିଜକୁ ଲମ୍ବା କ୍ୟାରିୟର ପାଇଁ ପ୍ରସ୍ତୁତ କରିବାକୁ ସେହବାଗ ପରାମର୍ଶ ଦେଇଛନ୍ତି ।