WFI ସଭାପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ, ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଲା କ୍ରୀଡା ମନ୍ତ୍ରଣାଳୟ

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଊତ୍ପୀଡ଼ନ ଅଭିଯୋଗ ଉପରେ ରିପୋର୍ଟ ମାଗିଲା କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ । ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ରେସଲିଂ ଫେଡେରେସନ୍ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି । ୩ ଦିନ ଭିତରେ ଜବାବ ନରଖିଲେ ଜାତୀୟ କ୍ରୀଡ଼ା ବିକାଶ ସଂହିତା ୨୦୧୧ ଅନୁସାରେ WFI ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି କ୍ରୀଡା ମନ୍ତ୍ରଣାଳୟ । କମନୱେଲଥ ଗେମ୍ସ ଏବଂ ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ମହିଳା ରେସଲର ବିନେଶ ଫୋଗାଟ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI) ଏବଂ ଏହାର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଏହି ଘଟଣା ପରେ ଲକ୍ଷ୍ନୌରେ ହେବାକୁ ଥିବା ମହିଳା ରେସଲିଂ କୋଚିଂ କ୍ୟାମ୍ପକୁ ବାତିଲ କରିଛି ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ବା ସାଇ । ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା  ଆଥଲେଟ୍ ବିନେଶ ଫୋଗେଟ୍ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଜାତୀୟ କୋଚ୍ ଦ୍ୱାରା ମହିଳା କୁସ୍ତି ଯୋଦ୍ଧାମାନେ ନିର୍ଯାତିତ ହୋଇଥିଲେ। ତେବେ ବିନେଶଙ୍କ ସହିତ ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ ମଧ୍ୟ ସାମିଲ ହୋଇଛନ୍ତି ।

WFI ଓ ଏହାର ସଭାପତି ବ୍ରିଜଭୂଷଣ ଶର ଣ ସିଂଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ । ଜାତୀୟ ସ୍ତରର କୋଚମାନେ ବର୍ଷବର୍ଷ ଧରି ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ କରୁଥିବା ସେ ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି WFI ସଭାପତି । ଏମିତି ଘଟଣା ଘଟିଥିଲେ ନିଜେ ରଶି ଲଗାଇଦେବେ ବୋଲି କହିଛନ୍ତି ବ୍ରିଜଭୂଷଣ ଶରଣ ।

ଏହାଛଡା ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଦାବି କରିଛନ୍ତି । ଏହାସହିତ ବ୍ରିଜଭୂଷଣ ଶରଣ ସିଂଙ୍କ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଦାବି କରିଛନ୍ତି । ଏହି ସଂପୂର୍ଣ୍ଣ ମାମଲାରେ ଦିଲ୍ଲୀ ମହିଳା ଆୟୋଗ ମଧ୍ୟ ଦଖଲ କରିଛି ।