ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ଗତ ବିଶ୍ୱକପରେ ଭାରତୀୟ ଖେଳାଳିଙ୍କୁ ଅଡୁଆରେ ପକାଇଥିବା ଶାହିନ ଆଫ୍ରିଦି ଏସିଆ କପରୁ ପଡିଲେ ବାଦ୍‌

ଏସିଆ କପ ୨୦୨୨ ଆରମ୍ଭ ପୂର୍ବରୁ ପାକିସ୍ତାନ ଟିମକୁ ଲାଗିଛି ଶକ୍ତ ଝଟକା । ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି । ଏସିଆ କପରୁ ବାଦ୍‌ ପଡିବା ଯୋଗୁଁ ଟିମ୍‌ ଇଣ୍ଡିଆ ପାଇଁ ଏହା ଆଶ୍ୱସ୍ତିକର ଖବର ବୋଲି ଜଣାପଡିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ଫିଲଡିଂ କରୁଥିବା ବେଳେ ଶାହିନଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି । ଆଘାତ ସାମାନ୍ୟ ଗମ୍ଭୀର ଥିବାରୁ ତାଙ୍କୁ ୪ ରୁ ୬ ସପ୍ତାହ ବିଶ୍ରାମ ନେବାକୁ କହିଛନ୍ତି ଡାକ୍ତରୀ ଟିମ୍ । ଫଳରେ ସେ ସମ୍ପୂର୍ଣ୍ଣ ଏସିଆ କପରୁ ବାଦ୍ ପଡିଛନ୍ତି । ଗତ ବର୍ଷ ଟି-୨୦ ବିଶ୍ଵ କପରେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଅଡୁଆରେ ପକାଇଥିଲେ ଶାହିନ୍ ଆଫ୍ରିଦି ।

ଏ ନେଇ ଶନିବାର ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଏହାର ସୂଚନା ଦେଇଛି। ସ୍କାନ ରିପୋର୍ଟ ସାମ୍ନାକୁ ଆସିବା ପରେ ଡାକ୍ତରୀ ଦଳ ଆଫ୍ରିଦିଙ୍କୁ ଚାରିରୁ ଛଅ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଫଳରେ ପାକିସ୍ତାନର ଏହି ମୁଖ୍ୟ ବୋଲର ଏସିଆ କପ୍ ସହ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରୁ ବାଦ୍ ପଡିଛନ୍ତି।

ଏସିଆ କପ ବ୍ୟତିତ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଘରୋଇ ସିରିଜ୍ ମଧ୍ୟ ଖେଳିପାରିବେନି ଶାହିନ ଆଫ୍ରିଦି । ଅଷ୍ଟ୍ରେଲିଆରେ ହେବାକୁ ଥିବା ୨୦-୨୦ ବିଶ୍ୱକପ ପୂର୍ବରୁ ଶାହିନ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବା ନେଇ ଆକଳନ କରାଯାଉଛି । ତେବେ ତାଙ୍କର ଆହତ ଜନିତ ସମସ୍ୟା କେତେ ଗମ୍ଭୀର ଏବଂ ଠିକ୍ ହେବାକୁ ୪ ରୁ ୬ ସପ୍ତାହ ଲାଗିବ କି ଅଧିକ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

ଆସନ୍ତା ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ଯାଏଁ ୟୁଏଇରେ ହେବାକୁ ଯାଉଛି ଏସିଆ କପ । ୬ ଟିମ୍ ମଧ୍ୟରୁ ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ କ୍ୱାଲିଫାଏ ହୋଇସାରିଥିବା ବେଳେ ୬ଷ୍ଠ ଦଳ କ୍ୱାଲିଫାଇଂ ଟୁର୍ଣ୍ଣାମେଣ୍ଟ ପରେ ଯୋଗ୍ୟତା ଅର୍ଜନ କରିବ । ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଅଗଷ୍ଟ ୨୮ ତାରିଖରେ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.