ବିସିସିଆଇ କଲା ବଡ଼ ଘୋଷଣା! ଯଶପ୍ରୀତ ବୁମ୍‌ରାହଙ୍କ ସ୍ଥାନରେ ଟି-୨୦ ବିଶ୍ୱକପ୍‌ରେ ଖେଳିବେ ଏହି ଘାତକ ଖେଳାଳି

ଆଗାମୀ ଟି-୨୦ ବିଶ୍ୱକପ ପାଇଁ ମହମ୍ମଦ ଶାମିଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁକ୍ରବାର ଏ ନେଇ ଘୋଷଣା କରିଛି। ଶାମିଙ୍କୁ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌ରାହଙ୍କ ସ୍ଥାନରେ ଟିମ୍‌ରେ ନିଆଯାଇଛି। ଅଷ୍ଟ୍ରେଲିଆରେ ଏହି ବୋଲର ଅଧିନାୟକ ରୋହିତ ଶର୍ମାଙ୍କର ବଡ଼ ଅସ୍ତ୍ର ଭାବରେ ପ୍ରମାଣିତ ହୋଇ ପାରନ୍ତି।

ଆହତଜନିତ କାରଣରୁ ବୁମ୍‌ରାହ ଟୁର୍ନାମେଣ୍ଟରୁ ବାଦ୍ ପଡିଛନ୍ତି। ଶାମିଙ୍କ ବ୍ୟତୀତ ମହମ୍ମଦ ସିରାଜ ଓ ଶାର୍ଦୁଲ ଠାକୁରଙ୍କୁ ଷ୍ଟାଣ୍ଡବାଇ ଖେଳାଳି ତାଲିକାରେ ରଖାଯାଇଛି। ସିରାଜ ଓ ଶାର୍ଦୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ।

ଶାମି ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ସେ ବ୍ରିସବେନରେ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଟିମ୍ ଇଣ୍ଡିଆ ସହିତ ଯୋଡ଼ି ହେବେ। ଶାମି ଗତ ଥର ଟି-୨୦ ବିଶ୍ୱକପର ଅଂଶ ଥିଲେ। ଏହା ପରଠୁ ସେ ଅଧିକାଂଶ ଟି-୨୦ ସିରିଜରେ ଖେଳି ନାହାନ୍ତି। ଶାମି ଆଇପିଏଲରେ ବଢ଼ିଆ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୁମ୍‌ରାହଙ୍କ ସ୍ଥାନରେ ଜଣେ ଅଭିଜ୍ଞ ଖେଳାଳିର ଆବଶ୍ୟକତା ଥିଲା। ଶାମି ଏବେ ସେହି ସ୍ଥାନ ପୂରଣ କରିବେ।

୧୫ ବର୍ଷ ହେବ ଟି-୨୦ ବିଶ୍ୱକପ୍‌ ଜିତି ନାହିଁ ଭାରତ

ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରରୁ ୮ମ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ୨୯ ଦିନରେ ମୋଟ ୪୫ଟି ମ୍ୟାଚ୍‌ ଖେଳାଯିବ। ଟିମ୍‌ ଇଣ୍ଡିଆ ୧୫ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ମଇଦାନକୁ ଓହ୍ଲାଇବ। ଦଳ ୨୦୦୭ ମସିହା ପରଠାରୁ ଟି-୨୦ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇପାରି ନାହିଁ। ୨୦୧୪ରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍‌ ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ତାକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.