ଶିବ ପ୍ରସାଦ ତ୍ରିପାଠୀ ପୁଣି ଥରେ ବିସିସିଆଇ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ, ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚରେ ତୁଲାଇବେ ଦାୟିତ୍ୱ

କେନ୍ୟୁଜ୍: ଶିବ ପ୍ରସାଦ ତ୍ରିପାଠୀ ପୁଣି ଥରେ ବିସିସିଆଇ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-ଟେ୍ଵଣ୍ଟି ମ୍ୟାଚର ପର୍ଯ୍ୟବେକ୍ଷକ ହେବେ ଶିବ ପ୍ରସାଦ ତ୍ରିପାଠୀ। ନାଗପୁରରେ ଖେଳାଯିବ ଦ୍ୱିତୀୟ ଟି-ଟେ୍ଵଣ୍ଟି ମ୍ୟାଚ୍‌। ଶିବ ପ୍ରସାଦ ତ୍ରିପାଠୀ ପୂର୍ବରୁ ମଧ୍ୟ ବିସିସିଆଇ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ୨୦୦୬ରେ ଆଇସିସି ଚାମ୍ପିଅନସ ଟ୍ରଫି ଓ ୨୦୧୬ରେ ମୋହାଲିରେ ହୋଇଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇଥିଲେ।

ସୂଚନା ଥାଉକି,ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ । ପଞ୍ଜାବର ମୋହାଲିରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଉଭୟ ଦଳ ଝାଳବୁହା ଅଭ୍ୟାସ କରିଛନ୍ତି । ଏସିଆ କପରେ ପରାଜୟ ପରେ ମ୍ୟାଚରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ରୋହିତ ଶର୍ମା ଓ କେ ଏଲ ରାହୁଲଙ୍କଠାରୁ ବଡ଼ ଓପନିଂ ଆଶା କରାଯାଉଛି । ଏସିଆ କପରେ ଫର୍ମକୁ ଫେରିଛନ୍ତି ବିରାଟ କୋହଲି । ମୋଟ ୨୭୬ ରନ କରିଥିଲେ । ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା ରହିଛି ।

ସେହିପରି ମିଡିଲ୍‌ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ରିଷଭ ପନ୍ଥ, ଦୀପକ ହୁଡା ଓ ହାର୍ଦ୍ଦିିକ ପାଣ୍ଡ୍ୟାଙ୍କ ଉପରେ ନଜର ରହିବ । ଦୀନେଶ କାର୍ତ୍ତିକ ଓ ପନ୍ଥଙ୍କ ଭିତରୁ କାହାକୁ ସୁଯୋଗ ମିଳିବ ତାକୁ ଅପେକ୍ଷା । କାର୍ତ୍ତିକଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ବୋଲିଂ ସ୍କ୍ଵାଡ୍‌କୁ ଫେରିଛନ୍ତି ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲ । ସେପଟେ ସିରିଜ ପୂର୍ବରୁ ଭାରତକୁ ଲାଗିଛି ଝଟକା । କରୋନାରେ ଆକ୍ରାନ୍ତ ହୋଇ ଦଳକୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି । ତାଙ୍କ ସ୍ଥାନରେ ଭାରତୀୟ ଟି-୨୦ ସ୍କ୍ଵାଡରେ ସାମିଲ ହୋଇଛନ୍ତି ଉମେଶ ଯାଦବ ।

ଆଜିର ମ୍ୟାଚରେ ଭାରତ ୬ ବଦଳରେ ୫ ଜଣ ବୋଲରଙ୍କୁ ଖେଳାଇପାରେ । ରବୀନ୍ଦ୍ର ଜାଡେଜା ଆହତ ଯୋଗୁ ବାଦ ପଡିଥିବାରୁ ତାଙ୍କ ସ୍ଥାନରେ ଅକ୍ଷର ପଟେଲ୍‌ କିମ୍ବା ଅଶ୍ୱିନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ଅନ୍ୟପଟେ ଆରୋନ୍‌ ଫିଞ୍ଚ୍‌ଙ୍କ ନେତୃତ୍ୱରେ ଭାରତକୁ କଡ଼ା ମୁକାବିଲା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଅଷ୍ଟ୍ରେଲିଆ । ଟି-ଟେ୍ଵଣ୍ଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ । ଉଭୟ ଦଳ ପରସ୍ପରକୁ ୨୩ ଥର ଭେଟିଛନ୍ତି । ଭାରତ ୧୩ଟି ଜିତିଥିବା ବେଳେ ଅଷ୍ଟ୍ରେଲିଆ ୯ଟି ବିଜୟୀ ହୋଇଛି । ଏବେ ଘରୋଇ ପରିବେଶରେ ଖେଳୁଥିବାରୁ ଫେଭରିଟ୍‌ ଅଛି ଟିମ୍‌ ଇଣ୍ଡିଆ । ତେବେ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।

Leave A Reply

Your email address will not be published.