ମୁମ୍ବାଇ : କ୍ରିକେଟରେ ସବୁବେଳେ ବୋଲର ଏବଂ ବ୍ୟାଟ୍ସମ୍ୟାନ ସଫଳ ହେବା ଲାଗି କିଛି ନା କିଛି ନୂ୍ଆ କୌଶଳ ଅବଲମ୍ବନ କରିଥାନ୍ତି । କେବେ ସଫଳ ହୁଅନ୍ତି ତ କେବେ ବିଫଳ ହୋଇ ସମାଲୋଚନାର ଶିକାର ହୁଅନ୍ତି । ଏମିତି ଏକ ଭିନ୍ନ ବୋଲିଂ କୌଶଳ କରି ଏବେ ବିବାଦକୁ ଆସିଛନ୍ତି ବୋଲର ଶିବ ସିଂହ । ସିକେ ନାୟୁଡୁ ଟ୍ରଫିରେ ଉତ୍ତର ପ୍ରଦେଶର ଏହି ବାମହାତୀ ସ୍ପିନର ଠିକ୍ ବଲ୍ ଡେଲଭରୀ କରିବା ପୂର୍ବରୁ ଏମିତି ଭାବେ ବୁଲିଗଲେ ଯେ ବିଚରା ବ୍ୟାଟ୍ସମ୍ୟାନ ବୁଝି ପାରିଲେ ନାହିଁ କଣ ହେଉଛି । ବଲ୍ ସିନା ୱିକେଟ୍ ଭାଙ୍ଗିଲା ନାହିଁ ଓ ଲେଗସାଇଡରେ ଚାଲିଗଲା ହେଲେ ଅମ୍ପାୟାର ଏହାକୁ ଡେଡ୍ ବଲ୍ ଘୋଷଣା କଲେ ।
ତେବେ ଏହି ଘଟଣାକୁ ନେଇ ଏବେ କ୍ରିକେଟ୍ ଜଗତରେ ଚାଲିଛି ଚର୍ଚ୍ଚା ଓ ଆଲୋଚନା । ଶିବ ସିଂହଙ୍କ ଏଭଳି ବୋଲିଂ କ୍ରିକେଟ୍ ଆଇନ ଅନୁଯାୟୀ ଠିକ୍ କି ଭୁଲ ତାର ତର୍ଜମା ଚାଲିଛି । ଉତ୍ତର ପ୍ରଦେଶର କଲ୍ୟାଣୀ ଠାରେ ପଶ୍ଚିମବଙ୍ଗ ବନାମ ଉତ୍ତର ପ୍ରଦେଶ ମ୍ୟାଚ୍ ବେଳେ ଏହି ଘଟଣା ଘଟିଥିଲା । ଅମ୍ପାୟାର ବିନୋଦ ପ୍ରଧାନ ଏହାକୁ ଡେଡ୍ ବଲ୍ ଘୋଷଣା କରିଥିଲେ । ଏପଟେ ଶିବ ସିଂହଙ୍କ ଏହି ଅଣପାରମ୍ପରିକ ବୋଲିଂ ଷ୍ଟାଇଲ୍ ସଂଗେ ସଂଗେ ଭାଇରାଲ ହୋଇଗଲା । ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ସ୍ପିନର ବିଶନ ସିଂହ ବେଦୀ ଏଭଳି ବୋଲିଂକୁ ସମାଲୋଚନା କରିଥିବା ବେଳେ କ୍ରିକେଟ୍ ନିୟମର ସୁରକ୍ଷା ଦାୟିତ୍ବରେ ଥିବା ଏମସିସି (ମେରିଲବୋନ୍ କ୍ରିକେଟ୍ କ୍ଲବ୍) ତର୍ଜମା କରି କହିଛି ଯେ ବୋଲର ରାଉଣ୍ଡ ଦି ୱିକେଟ୍ କିମ୍ବା ଓଭର ଦି ୱିକେଟ୍ ବୋଲିଂ କରିବେ ଏବଂ ବାମ କି ଡାହାଣ ହାତରେ ବୋଲିଂ କରିବେ ତାହା ପୂର୍ବରୁ ଜଣାଇବେ । ଅବଶ୍ୟ ବୋଲିଂ ଷ୍ଟାଇଲ୍ ବା ଶୈଳୀ କିଭଳି ରହିବ ସେ କଥା ନିୟମ ଭିତରେ ନାହିଁ କିନ୍ତୁ ଯଦି ଜାଣିଶୁଣି କୌଣସି ବୋଲର ବ୍ୟାଟସମ୍ୟାନଙ୍କ ଏକାଗ୍ରତା ଭଙ୍ଗ କରିବାକୁ ନିଜ ବୋଲିଂ ଶୈଳୀରେ ପରିବର୍ତ୍ତନ କରନ୍ତି ତେବେ ତାକୁ ଅମ୍ପାୟାର ବିରୋଧ କରି ପାରିବେ ।
ଶିବ ସିଂହ ଠିକ୍ ହାତରୁ ବଲ୍ ଛାଡ଼ିବା ପୂର୍ବରୁ ପୂରା ୩୬୦ ଡିଗ୍ରୀ ବୁଲି ଯାଉଛନ୍ତି । ସେତେବେଳେ ବ୍ୟାଟସମ୍ୟାନ ଜାଣି ପାରିବ ନାହିଁ ଯେ କିଭଳି ବଲ୍ ପଡ଼ିବ । ତେଣୁ ଏହାକୁ ନେଇ ଏବେ ଟ୍ବିଟରରେ ଚାଲିଛି ଆଲୋଚନା ଓ ସମାଲୋଚନା । ନିମ୍ନରେ ଦେଖନ୍ତୁ ଶିବ ସିଂହଙ୍କ ବେଲିଂ ଆକସନ୍ ।
Weirdo…!! Have a close look..!! pic.twitter.com/jK6ChzyH2T
— Bishan Bedi (@BishanBedi) November 7, 2018